ଏମ୍ଏମ୍ଡିଆର୍ ସଂଶୋଧିତ ଆଇନ ପ୍ରତ୍ୟାହାର ଦାବିରେ ବିକ୍ଷୋଭ
ବିଜୁ ଜନତା ଦଳ ଏମ୍ଏମ୍ଡିଆର୍ ଆଇନକୁ ନେଇ କହିବା ଗୋଟିଏ ହାସ୍ୟସ୍ପଦ କଥା - ବାବୁ ସିଂ
ଭୁବନେଶ୍ୱର : ଏମ୍ଏମ୍ଡିଆର୍ ସଂଶୋଧନ ଆଇନ-୨୦୨୬କୁ ନେଇ ତେଜିଲା ଆନ୍ଦୋଳନ । ଲୋକ ଭବନ ଆଗରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି । ବିକ୍ଷୋଭ ରେ ବିଜେଡି ର ବହୁ ନେତା ଓ ବିଧାୟକ ସାମିଲ ଅଛନ୍ତି । ଲୋକ ଭବନ ଆଡକୁ ଅଗ୍ରସର ହେବାବେଳେ ପୁଲିସ ସହ ମୁହାଁମୁହିଁ ସ୍ଥିତି ଉପୁଜି ଥିଲା , ପରେ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶରେ ଦାବିପତ୍ର ପ୍ରଦାନ କରିଛନ୍ତି ।
ଏମ୍ଏମ୍ଡିଆର୍ ସଂଶୋଧନ ଆଇନ, ୨୦୨୬କୁ ରଦ୍ଦ କରିବାକୁ ଦାବି କରାଯାଇଛି । ୧୯୫୭ ର ମାଇନ୍ସ ଆଣ୍ଡ ମିନେରାଲସ ଆକଟକୁ ୨୦୨୬ରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ଦଳ ପକ୍ଷରୁ ସଂଶୋଧିତ ଏମ୍ଏମ୍ଡିଆର୍ ଆଇନକୁ "କଳା ଆଇନ" ବୋଲି ଅଭିହିତ କରାଯାଇ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ଆଗକୁ ବିଧାନସଭା ଅଧିବେଶନ ଥିବାରୁ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡି ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତି ଜୋରଦାର କରିଛି ।
ଓଡ଼ିଶା ସମେତ ୧୫ରୁ ଅଧିକ ରାଜ୍ୟର ଖଣି, ଜମି, ଜଳ, ଜଙ୍ଗଲ, ଘରବାଡ଼ି ଓ ଜୀବିକାକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଏହି ସଂଶୋଧନ ଆଇନ ଅଣାଯାଇଥିବା ଅଭିଯୋଗ ହୋଇଛି।
ସେପଟେ, ଏମଏମଡିଆର ପ୍ରସଙ୍ଗ ରେ ବିଜେଡି କୁ ଟାର୍ଗେଟ କରିଛି ଶାସକ ବିଜେପି । ବିଜେପି ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି , କେନ୍ଦ୍ର ସବୁ ନେଇଗଲା’ ବୋଲି କହି ଏକ ଭ୍ରମ ସୃଷ୍ଟିକରୁଛି ବିଜେଡି । ସେହିଭଳି ବିଜୁ ଜନତା ଦଳ ଏମ୍ଏମ୍ଡିଆର୍ ଆଇନକୁ ନେଇ କହିବା ଗୋଟିଏ ହାସ୍ୟସ୍ପଦ କଥା । ଓଡ଼ିଶାର ଅଧିକାର ଓ ଖଣି ରାଜସ୍ୱକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି ବିଜେଡ଼ି । ଓଡ଼ିଶା ଯେତିକି ଭାଗ ପାଇବା କଥା, ତାର ସେତିକି ଭାଗ ପାଇବ, ଗୋଟିଏ ପର୍ସେଣ୍ଟ ମଧ୍ୟ ଭାଗ ଓଡ଼ିଶାର କମିବ ନାହିଁ ବୋଲି କହିଛନ୍ତି ବିଜେପି ନେତା ବାବୁ ସିଂହ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜୁ ଜନତା ଦଳର ନେତା ସ୍ପଷ୍ଟ କରନ୍ତୁ ରାଜ୍ୟ ଅଧୀନରେ କେଉଁ କେଉଁ କ୍ଷେତ୍ରରେ ଖଣି ସମ୍ପଦରୁ କ୍ଷତି ହେଉଛି । ଆଲୋଚନା ଓ ଡିବେଟକୁ ଆସନ୍ତୁ । ଯେଉଁମାନେ ଅତୀତରେ ଏ ବିଲ୍ କି ସମର୍ଥନ କରିଥିଲେ, ୨୦୦୪ ମସିହାରେ ବିଧାନସଭାରେ ଏକ ଆଇନ ପ୍ରଣୟନ କଲେ, ଯାହା ଉପରେ ସ୍ପଷ୍ଟତା ଆଣିବା ପାଇଁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲା । ୨୦୦୪ ମସିହାରେ ଏ ସମ୍ପର୍କିତ ଆଇନ ପ୍ରଣୟନ ହୋଇଥିବା ପ୍ରସଙ୍ଗ ଉଠାଇ ଅତୀତରେ ଏହାକୁ ସମର୍ଥନ କରିଥିବା ଲୋକମାନେ ଏବେ କାହିଁକି ପ୍ରଶ୍ନ ଉଠାଉଛନ୍ତି ।




