ବିଦ୍ୟାଳୟ ସମ୍ମୁଖରେ ମୃତଦେହ ରଖି ପ୍ରତିବାଦ
ବିଷମକଟକ : ପୋଡି ହୋଇ ଛାତ୍ରଙ୍କ ମୃତ୍ୟୁ ଘଟଣା । ସ୍କୁଲ ଆଗରେ ଶବ ରଖି ପ୍ରତିବାଦ । ରାୟଗଡା ପାଇକଡାକୁଲୁଗୁଡା ବିଦ୍ୟାଳୟରେ ନିଆଁଲାଗି ୪ଛାତ୍ର ଗୁରୁତର ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଦିନ ଜଣେ ୭ମ ଶ୍ରେଣୀ ଛତ୍ର ବୀରେନ ଟାକ୍ରିଙ୍କ କଟକ ଏସ୍ସିବିରେ ମୃତ୍ୟୁ ଘଟିଛି । ତେବେ ଦୀର୍ଘ ୪୮ ଦିନର ଚିକିତ୍ସା ପରେ ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବୀରେନ । ଚିକିତ୍ସାରେ ଅବହେଳାକୁ ନେଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଗତକାଲି ବିଦ୍ୟାଳୟ ସମ୍ମୁଖରେ ମୃତଦେହ ରଖି ପ୍ରତିବାଦ କରୁଛନ୍ତି ପରିବାର ଲୋକେ । ସ୍କୁଲ ଆଗରେ ଉତ୍ତେଜନା ଦେଖାଦେଇଛି । ପରିବାର ସହିତ ସ୍ଥାନୀୟ ଲୋକେ ଏବଂ ଅନ୍ୟ ଅଭିଭାବକମାନେ ତାତିଛନ୍ତି । ବିଦ୍ୟାଳୟ ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ଲୋକେ ।
ସୂଚନାନୁସାରେ,ଗତ ଜାନୁଆରୀ ୫ ତାରିଖରେ ପାଇକଡାକୁଲଗୁଡ଼ା ଉନ୍ନୀତ ହାଇସ୍କୁଲରେ ଅଘଟଣ ଘଟିଥିଲା । ଅପରାହ୍ନ ୩ଟା ସମୟରେ କିଛି ଛାତ୍ର ଉପର ମହଲାରେ ଥିବା ସେହି ବିଦ୍ୟାଳୟ ଅନ୍ୟ ଜଣେ ହଠାତ୍ ସମସ୍ତଙ୍କ ଉପରେ ଥିନର୍ ଢାଳି ଦେଇଥିଲା । ଏହା ପରେ ତୁରନ୍ତ ଦିଆସିଲି ଲଗାଇ ଦେଇଥିଲା । ଫଳରେ ୪ ଜଣ ଛାତ୍ର ଗୁରୁତର ହୋଇଥିଲେ । ସପ୍ତମ ଶ୍ରେଣୀ ଛାତ୍ର ବିରେନ୍ ଟାକ୍ରି , ବିରାଜ , ନଳୀନ ହୁଇକା, ରୋହିତ ଖରା ଏବଂ ପଞ୍ଚମ ଶ୍ରେଣୀ ଛାତ୍ର ସୁଦାବ ବାଘ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏହା ପରେ ବୀରେନଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ବୀରେନ୍ ସେଠାରେ ଆଖି ବୁଜିଛନ୍ତି ।
ଚିକିତ୍ସା ଅବହେଳାରୁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାର ଓ ଗ୍ରାମବାସୀ ଅଭିଯୋଗ କରି ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ବିଦ୍ୟାଳୟ ଭିତରେ ଶିକ୍ଷକଙ୍କୁ ତାଲା ପକାଇ ଧାରାଣାରେ ବସିଥିଲେ। ଏ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀଙ୍କ ଧାରଣା ଯୋଗୁ ବିଦ୍ୟାଳୟ ପରିସରରୁ କୌଣସି ଶିକ୍ଷକ ବାହାରକୁ ବାହାରି ପାରି ନ ଥିଲେ। ବିଷମକଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ଦୀର୍ଘ ୩ ଘଣ୍ଟା ପରେ ଶିକ୍ଷକମାନେ ବାହାରକୁ ବାହାରିଥିଲେ ।



