ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ଙ୍କ ସମେତ ପ୍ରମୁଖ ବ୍ୟକ୍ତି

ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ଙ୍କ ସମେତ ପ୍ରମୁଖ ବ୍ୟକ୍ତି
Samaya Live News Picture
Published On

ନୂଆଦିଲ୍ଲୀ : ଆଜି ରାଜ୍ୟ ପାଳୁଛି ୯୦ ତମ ଉତ୍କଳ ଦିବସ । ପ୍ରତି ଓଡ଼ିଆଙ୍କ ଦେହରେ ନୂଆ ଶିହରଣ ।ଚାରିଆଡ଼େ ଉତ୍ସାହର ମାହୋଲ । ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଏହି ଅବସରରେ ଦେଶର ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ବାର୍ତ୍ତା 

ରାଷ୍ଟ୍ରପତି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ 'ଏକ୍ସ'ରେ ଲେଖିଛନ୍ତି, 'ଓଡ଼ିଶା ଦିବସ ଉପଲକ୍ଷେ ଓଡ଼ିଶାବାସୀ ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା । ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ସୁପ୍ରାଚୀନ ପରମ୍ପରା ତଥା ଓଡ଼ିଶାବାସୀଙ୍କ ଧୈର୍ଯ୍ୟ ଓ ସହନଶୀଳତାର ସ୍ୱାକ୍ଷର ବହନ କରେ ଏହି ଦିବସ । ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ରାଷ୍ଟ୍ରଗଠନରେ ଓଡ଼ିଶାର ଅମୂଲ୍ୟ ଯୋଗଦାନ ଆମ ସମସ୍ତଙ୍କୁ ସବୁବେଳେ ପ୍ରେରଣା ଦେଇଆସିଛି । ବିକଶିତ ଭାରତ ନିର୍ମାଣରେ କୁଶଳ ଏବଂ କର୍ମଠ ଓଡ଼ିଶାବାସୀଙ୍କ ଭୂମିକା ବେଶ୍ ଉଲ୍ଲେଖନୀୟ । ଆଜିର ଏହି ଶୁଭ ଅବସରରେ ଓଡ଼ିଶାବାସୀଙ୍କ ସୁଖ-ସମୃଦ୍ଧି ଓ ମଙ୍ଗଳ ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଅଛି' ।​​​​​​​

ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ 'ଏକ୍ସ'ରେ ଓଡ଼ିଆରେ କହିଛନ୍ତି, ଉତ୍କଳ ଦିବସର ବିଶେଷ ଅବସରରେ ହାର୍ଦ୍ଦିକ ଶୁଭକାମନା । ଓଡ଼ିଶା ଏପରି ଏକ ରାଜ୍ୟ ଯାହା ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହାନତାର ଏକ ଶାଶ୍ୱତ ପ୍ରତୀକ ରୂପେ ସଗୌରବେ ଦଣ୍ଡାୟମାନ ରହିଛି । ଓଡ଼ିଆ ସଙ୍ଗୀତ, କଳା ଏବଂ ସାହିତ୍ୟ ଭାରତକୁ ଅଗଣିତ ମାର୍ଗରେ ସମୃଦ୍ଧ କରିଛି। ନିଜର ଦୃଢ଼ସଂକଳ୍ପ, ସରଳତା ଏବଂ ସ୍ନେହ ପାଇଁ ପରିଚିତ ଓଡ଼ିଶାର ଲୋକମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି । ଓଡ଼ିଶା ଆଗାମୀ ଦିନରେ ପ୍ରଗତିର ନୂଆ ଶିଖର ଛୁଇଁବ ବୋଲି ଆଶା କରୁଛି।

ରାଜ୍ୟପାଳଙ୍କ ଶୁଭେଚ୍ଛା ବାର୍ତ୍ତା 

ଉତ୍କଳ ଦିବସ ଅବସରରେ ଓଡିଶା ରାଜ୍ୟପାଳ ହରିବାବୁ କମ୍ଭମପାଟି ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ X ହ୍ୟାଣ୍ଡେଲରେ ଲେଖିଛନ୍ତି, "ରାଜ୍ୟର ସମସ୍ତ ପ୍ରିୟ ଭଉଣୀ ଓ ଭାଇମାନଙ୍କୁ #ଓଡ଼ିଶାଦିବସର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ଅତୁଳନୀୟ ଅବଦାନ ଦେଇ ଆମର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମ୍ମାନ ଓ ପରିଚୟ ଦେଇଥିବା ମହାପୁରୁଷମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି। ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଓଡ଼ିଶାର ଅସ୍ମିତା ଓ ଗୌରବକୁ ଅଧିକ ରୁଦ୍ଧିମନ୍ତ କରିବାପାଇଁ ସଂକଳ୍ପ ନେବା ।"

ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲେଖିଛନ୍ତି, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ପବିତ୍ର ଦିବସରେ ସମସ୍ତ ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । ଆମର ବରପୁତ୍ରମାନଙ୍କ ଅଦମ୍ୟ ସଂଘର୍ଷ ଓ ବଳିଦାନ ଯୋଗୁଁ ଆଜି ଆମେ ଏକ ସ୍ୱତନ୍ତ୍ର ପରିଚୟ ନେଇ ଗର୍ବର ସହ ଠିଆ ହୋଇଛୁ । ଆଜିର ଏହି ପବିତ୍ର ଅବସରରେ, ଆସନ୍ତୁ ଆମର ଗୌରବମୟ ଐତିହ୍ୟକୁ ପାଥେୟ କରି ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ପୁନର୍ବାର ସଂକଳ୍ପବଦ୍ଧ ହେବା । କୃଷି, ଶିଳ୍ପ, ଶିକ୍ଷା ଓ ସଂସ୍କୃତିର ସମନ୍ୱୟରେ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ।

ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା ବାର୍ତ୍ତା 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ଓଡିଆଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ X ହ୍ୟାଣ୍ଡେଲରେ ଲେଖିଛନ୍ତି, "ଓଡ଼ିଶା ସମେତ ବିଶ୍ୱର ବିଭିନ୍ନ ଅଞ୍ଚଳରେ ରହୁଥିବା ଓଡ଼ିଆ ଭାଇ ଭଉଣୀମାନଙ୍କୁ ‘ଓଡ଼ିଶା ଦିବସ’ର ହାର୍ଦ୍ଦିକ ଶୁଭେଚ୍ଛା । ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଆମ ରାଜ୍ୟ ଓଡ଼ିଶା ପ୍ରଥମ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପ୍ରାପ୍ତ ହେବାର ଗୌରବ ଲାଭ କରିଥିଲା । ଆଜିର ପବିତ୍ର ଦିନରେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ସେହି ବରେଣ୍ୟ ସନ୍ତାନମାନଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଆସନ୍ତୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମେ ଆମର ଗୌରବମୟ କଳା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ଆହୁରି ସମୃଦ୍ଧ କରିବା ପାଇଁ ସଂକଳ୍ପବଦ୍ଧ ହେବା । ବନ୍ଦେ ଉତ୍କଳ ଜନନୀ "

Tags: