ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ
ଭୁବନେଶ୍ୱର : ବିଶିଷ୍ଟ ଲେଖକ, କବି ତଥା ପୂର୍ବତନ ପ୍ରଶାସକ ଡ.ଜଗନ୍ନାଥ ପ୍ରସାଦ ଦାସଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସେ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଭାବରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ସାହିତ୍ୟ ସାଧନାରେ ନିଜକୁ ସାମିଲ କରିଥିଲେ । ସେ ଏକାଧାରରେ ଓଡ଼ିଆ କବି, ନାଟ୍ୟକାର, କଳା ଐତିହାସିକ ଥିଲେ । ସେ କାଳଜୟୀ ଉପନ୍ୟାସ ‘ଦେଶ କାଳ ପାତ୍ର’ ଲେଖି ଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କ ବିୟୋଗରେ ସମଗ୍ର ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି ।
ଜଗନ୍ନାଥ ପ୍ରସାଦ ଦାସ ୧୯୩୬ ଏପ୍ରିଲ ୨୬ରେ ପୁରୀଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପତ୍ନୀ ମିତା ଦାସ ଜଣେ ପ୍ରସିଦ୍ଧ ଗାୟିକା ଓ କନ୍ୟା ମୋନାଲିସା ଦାସ ଜଣେ ପ୍ରତିଷ୍ଠିତ ନୃତ୍ୟାଙ୍ଗନା । ଜଗନ୍ନାଥ ଦାସ କଟକର ମିସନ ସ୍କୁଲ ଓ ରେଭେନ୍ସା କଲେଜରେ ପଢ଼ା ସାରି ଆଲ୍ହାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରି କିଛିଦିନ ସେଠାରେ ଅଧ୍ୟାପନା କରିଥିଲେ । କିଶୋର କାଳରେ ଜଗନ୍ନାଥ ଦାସ ଲେଖାଲେଖି ଆରମ୍ଭ କରିଥିଲେ । ୧୯୫୧ରେ ସେ "ସ୍ତବକ" ନାମରେ ଏକ କବିତା ସଙ୍କଳନ ପ୍ରକାଶ କରିଥିଲେ । ଏହାପରେ ୧୯୫୮ମସିହାରେ, ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ୧୯୬୦ ମସିହାରେ ସେ ଦୁଇଟି ନାଟକ ଲେଖିଥିଲେ । ୧୯୭୦ ମସିହାରେ ସେ ଆଙ୍କିଥିବା ନିଜର ଚିତ୍ର ଗୁଡିକୁ ଏକ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶନ କରାଇଥିଲେ । ୧୯୭୯ରେ ମିଳିଥିବା "ହୋମି ଭାବା ବୃତ୍ତି"ଦ୍ୱାରା ସେ ପଟ୍ଟଚିତ୍ର ଉପରେ ରିସର୍ଚ୍ଚ କରିବାର ସୁଯୋଗ ପାଇଥିଲେ, ଯାହା ପରବର୍ତ୍ତୀ ସମୟରେ "ପୁରୀ ପେଣ୍ଟିଙ୍ଗସ" ନାମରେ ତାହା ପ୍ରକାଶ ପାଇଥିଲା । ସାହିତ୍ୟ ସାଧନା ଓ ଗବେଷଣା ପାଇଁ, ସେ ୧୯୮୪ମସିହାରେ ପ୍ରଶାସନିକ ସେବାକୁ ପରିତ୍ୟାଗ କରିଥିଲେ ।
ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ ରଚିତ କବିତା ସଂକଳନ ମଧ୍ୟରେ ‘ପ୍ରଥମ ପୁରୁଷ’, ‘ଆହ୍ନିକ’ ଏବଂ ‘ପରିକ୍ରମା’ ଆଦି ପାଠକୀୟ ଆଦୃତି ଲାଭ କରିଛି । ନାଟକ କ୍ଷେତ୍ରରେ ‘ସୂର୍ଯ୍ୟାସ୍ତ ପୂର୍ବରୁ’ ଓ ‘ସୁନ୍ଦର ଦାସ’ ଏବଂ ଐତିହାସିକ ଉପନ୍ୟାସ ‘ଦେଶ କାଳ ପାତ୍ର’ ତାଙ୍କର ଅନ୍ୟତମ ଶ୍ରେଷ୍ଠ ସୃଷ୍ଟି। ଓଡ଼ିଆ ପତ୍ରିକା ଡଗର, ଝଙ୍କାର, ଆସନ୍ତାକାଲି ଆଦିରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଉଥିଲା । ମନୋଜ ଦାସଙ୍କ ସହ ସେ ଛାତ୍ର ଫେଡେରେସନ ଅଫ ଇଣ୍ଡିଆର ଏକ ଜର୍ଣ୍ଣାଲ "ଆଗାମୀ"ର ସମ୍ପାଦନା କରୁଥିଲେ । ସାହିତ୍ୟିକ ଅବଦାନ ପାଇଁ ତାଙ୍କୁ ୨୦୦୬ ମସିହାରେ ସମ୍ମାନଜନକ ‘ସରସ୍ୱତୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ତେବେ ନିଜ ନୀତିଗତ ଆଦର୍ଶ କାରଣରୁ ସେ ୧୯୯୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚାକୁ ଆସିଥିଲେ। ଜଣେ ଦ୍ୱିଭାଷୀ ଲେଖକ ତଥା ଅନୁବାଦକ ଭାବରେ ସେ ସୁଇଡିସ୍, ଉର୍ଦ୍ଦୁ, ଫରାସୀ ଏବଂ ଇଂରାଜୀ ଭାଷାରେ ଓଡ଼ିଆ ସାହିତ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇଥିଲେ। ନିଜର ଲେଖା ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଅନେକ ସମ୍ମାନ ପାଇଥିଲେ ଡ଼.ଜଗନ୍ନାଥ ପ୍ରସାଦ ଦାସ । ୧୯୭୩ମସିହାରୁ ଦିଲ୍ଲୀରେ ଅବସ୍ଥାନ କରୁଥିବା ଜେ.ପି, ଦିଲ୍ଲୀରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ମୁରବୀ ଭଳି ଥିଲେ । ଡ.ଜଗନ୍ନାଥ ପ୍ରସାଦ ଦାସଙ୍କ ବିୟୋଗ ରେ ଦିଲ୍ଲୀ ଓଡ଼ିଆ ଅସ୍ମିତାର ସଭାନେତ୍ରୀ ଅନିତା ପଣ୍ଡା ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।



