ଅସଦାଚରଣ ଅଭିଯୋଗରେ ଅଧ୍ୟାପକ ନିଲମ୍ବିତ
ସମ୍ବଲପୁର : ଅସଦାଚରଣ ଅଭିଯୋଗରେ ଅଧ୍ୟାପକ ନିଲମ୍ବିତ । ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଏମ୍ବିଏ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହୋଇଛନ୍ତି ସହକାରୀ ପ୍ରଫେସର ଡ. ସରୋଜ ସାହୁ । ସରୋଜ କୁମାର ସାହୁଙ୍କୁ କୁଳପତିଙ୍କ ନିର୍ଦ୍ଦେଶରେ ଚାକିରିରୁ ନିଲମ୍ବନ କରିଛନ୍ତି ବିଶ୍ୱବିଦ୍ୟାଳୟ କୁଳସଚିବ । ନିଲମ୍ବନ ଅବଧି ମଧ୍ୟରେ ସେ ଅନ୍ୟ କୌଣସି ଅନୁଷ୍ଠାନ ସହ ଜଡ଼ିତ ହୋଇ ପାରିବେ ନାହିଁ। ସ୍ନାତକୋତ୍ତର ପରିଷଦ କାର୍ଯ୍ୟାଳୟରେ ତାଙ୍କ କାର୍ଯ୍ୟ ଧାର୍ଯ୍ୟ କରାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ ସରିନାହିଁ ।
ଖବର ଅନୁଯାୟୀ, ସଂପୃକ୍ତ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଅଧିନରେ ପିଏଚ୍ଡି କରୁଥିବା ଜଣେ ଛାତ୍ରୀଙ୍କୁ କିଛି ଦିନ ତଳେ ଯୌନ ନିର୍ଯାତନା ହୋଇଥିବା ଅଭିଯୋଗ ଆସିଥିଲା । ଏହାପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ତଦନ୍ତର ନିର୍ଦ୍ଦେଶ ଦିଆଯାଇଥିଲା । ଆଉ ଏବେ ତଦନ୍ତ ପ୍ରକ୍ରିୟା ଶେଷ ହେବା ପୂର୍ବରୁ ସଂପୃକ୍ତ ଅଧ୍ୟାପକଙ୍କୁ ନିଲମ୍ବିତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ ଶେଷ ହୋଇନାହିଁ କି ଆଇସିସି ବା ଇଣ୍ଟନରନାଲ କମିଟିର ନିଜ ରିପୋର୍ଟ ଦେଇନାହିଁ । ତାପୂର୍ବରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ଆକ୍ସନ ନେଇଛନ୍ତି । ଏହି ସମୟ ମଧ୍ୟରେ ସେ ବିଶ୍ବବିଦ୍ୟାଳୟର ପ୍ରାଶାସନିକ କୋଠା ଅଥବା ସ୍ନାତକୋତ୍ତର ବିଭାଗର କୌଣସି ବିଭାଗକୁ ଯାଇପାରିବେ ନାହିଁ। ଏପରିକି ପ୍ରାକ୍ ଅନୁମତି ବିନା ଭୁବନେଶ୍ବର ବେହେରା କେନ୍ଦ୍ରୀୟ ପାଠାଗାରକୁ ମଧ୍ୟ ଯାଇପାରିବେ ନାହିଁ । କୌଣସି ପ୍ରାକ୍ ଅନୁମତି ବିନା ମୁଖ୍ୟାଳୟରେ ଅନୁପସ୍ଥିତ ରହିପାରିବେ ନାହିଁ



