ଫେବୃଆରୀ ୩ ତାରିଖରେ ପୁରୀ ଗସ୍ତରେ ଯିବେ ରାଷ୍ଟ୍ରପତି
ଭୁବନେଶ୍ୱର : ଫେବୃଆରୀ ୩ ତାରିଖରେ ପୁରୀ ଗସ୍ତରେ ଯିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢ଼ୀ। ରାଷ୍ଟ୍ରପତିଙ୍କ ଦର୍ଶନ ନେଇ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ୩ ତାରିଖ ସନ୍ଧ୍ୟାରେ ତାଳବଣିଆ ହେଲିପ୍ୟାଡରେ ପହଁଚିବା ପରେ ଲୋକଭବନ ଯିବେ ରାଷ୍ଟ୍ରପତି । ପରଦିନ ଅର୍ଥାତ ୪ ତାରିଖ ସକାଳେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ।
ମହାମହିମ ରାଷ୍ଟ୍ରପତି ପ୍ରଥମେ ୪ ତାରିଖ ସକାଳ ୭ଟା ସମୟରେ ପୁରୀର ବାଲିସାହି ଶ୍ଵେତଗଙ୍ଗା ଠାରେ ପିଣ୍ତ ଦାନ କରିବାର କାର୍ଯ୍ୟକ୍ରମ ରହିଛି । ପିଣ୍ତଦାନ କରିବା ପରେ ୭ଟା ୪୦ ମିନିଟ୍ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଶ୍ରୀମନ୍ଦିର ପ୍ରବେଶ କରିବା ସମୟରେ ସିଂହଦ୍ଵାର ଠାରେ ଗଜପତି ମହାରାଜ ରାଷ୍ଟ୍ରପତି ଙ୍କୁ ସ୍ଵାଗତ କରିବାର ରହିଛି । ଏହାପରେ ଗର୍ଭଗୃହ ଭିତରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି । ସକାଳ ୮ଟା ୨୦ ମିନିଟ୍ ସୁଦ୍ଧା ଦର୍ଶନ ସାରି ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ଫେରି ଯିବାର କାର୍ଯ୍ୟସୂଚୀ ରହିଛି ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ୪ ତାରିଖ ସକାଳ ୪ଟାରେ ସୁଦ୍ଧା ଜୟ ବିଜୟ ଦ୍ଵାର ଫିଟା ନୀତି କରାଯିବ । ସୁରକ୍ଷା ଦୃଷ୍ଟିକୋଣରୁ ସକାଳ ୬ଟା ସୁଦ୍ଧା ଶ୍ରୀ ମନ୍ଦିର ଶୋଧ କରାଯିବ । ଏହି ସମୟମଧ୍ୟରେ କୌଣସି ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ବାରଣ କରାଯାଇଛି ।



