ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
ବହୁ ବିଶିଷ୍ଟ ନେତାଙ୍କ ଶୁଭେଚ୍ଛା ବାର୍ତ୍ତା
ଭୁବନେଶ୍ୱର : ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ମୁଁ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ବୋଲି ଏକ୍ସରେ ସୂଚନା ଦେଇଛନ୍ତି । ନୂଆଁଖାଇ କେବଳ ଏକ ପାରଂପରିକ ପର୍ବ ନୁହେଁ, ପଂକ୍ତି ଭୋଜନ ଓ ବନ୍ଧୁମିଳନ ମାଧ୍ୟମରେ ସାମାଜିକ ଓ ପାରିବାରିକ ଆତ୍ମୀୟତାର ପ୍ରତୀକ ମଧ୍ୟ ।
ସେହିପରି ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ଓଡ଼ିଶାର କୃଷିଭିତ୍ତିକ, ସାମାଜିକ ତଥା ସାଂସ୍କୃତିକ ଗଣପର୍ବ ପବିତ୍ର ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମାଁ ସମଲେଇଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି କହିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ଖୁସିର ବଡ଼ଖା ତିହାର୍ ସମ୍ କୁ ମୋର୍ ନୂଆଁଖାଇ ଜୁହାର୍ ।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନୂଆଁଖାଇ ଉପଲକ୍ଷେ ନିଜର ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ଏହି ପର୍ବ ମାଧ୍ୟମରେ ପାରସ୍ପରିକ ସୌହାର୍ଦ୍ଦ୍ୟ ଓ ସଂପ୍ରୀତି ଆହୁରି ସୁଦୃଢ଼ ହେବ ବୋଲି ମୋର ବିଶ୍ୱାସ । ନୂଆଁଖାଇ ଅବସରରେ ମୁଁ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଅଛି । ନୂଆଁଖାଇ ହେଉଛି ଏକତା, ସୌହାର୍ଦ୍ଦ୍ୟ ଓ ସଦ୍ଭାବନାର ପର୍ବ । ନବାନ୍ନ ସେବନ, ବନ୍ଧୁମିଳନ ଓ ଗୁରୁଜନଙ୍କ ପ୍ରତି ସମ୍ମାନର ପର୍ବ । ଏହି ପର୍ବ ସମସ୍ତଙ୍କୁ ମିଳିମିଶି କରି ରହିବାର ମହତ ବାର୍ତ୍ତା ଦେଉଛି। ଆଜିର ଏହି ମହାନ ଅବସରରେ ମା’ ସମଲେଶ୍ୱରୀଙ୍କ ପାଖରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରୁଛି ।




