ଆଜିଠାରୁ ୩ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସ୍ୱତନ୍ତ୍ର ଟ୍ରେନ ଯୋଗେ ବ୍ରମହାପୁର ଗସ୍ତରେ ଯିବେ

ଆଜିଠାରୁ ୩ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Samaya Live News Picture
Published On

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ । ଆଜିଠାରୁ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଗସ୍ତ । କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସୋମବାର ଅପରାହ୍ଣରେ କଟକସ୍ଥିତ ଜଗତ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କରିବେ ରାଷ୍ଟ୍ରପତି । ୪ ତାରିଖରେ ଭୁବନେଶ୍ୱର ରେଳଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ଯିବେ । ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କରିବେ ।                       

ସୂଚନାନୁସାରେ, ସୋମବାର ସୋମବାର ଅପରାହ୍ଣ ୨ଟା ୨୦ ମିନିଟ୍‌ରେ ବାୟୁସେନାର ସ୍ୱତନ୍ତ୍ର  ବିମାନରେ ଆସି ଭୁବନେଶ୍ୱର  ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି ।  ଅପରାହ୍ଣ ସାଢ଼େ ୨ଟାରେ ରାଷ୍ଟ୍ରପତିଙ୍କ  କାରକେଡ୍‌ ଲୋକଭବନ ଅଭିମୁଖେ  ବାହାରିବ । ସେଥିପାଇଁ ଅପରାହ୍ଣ ୨ଟା  ୧୦ ମିନିଟ୍‌ରୁ ୨ଟା ୪୫ ମିନିଟ୍‌ ଯାଏ  ଏୟାରପୋର୍ଟ ଛକ ହସ୍ପିଟାଲ ଛକରୁ  ଏଜି ଛକ ଦେଇ ଲୋକଭବନ ଛକ  ଯାଏ ରାସ୍ତା ବନ୍ଦ ରହିବ । ଅପରାହ୍ଣ  ୪ଟାରେ ଲୋକଭବନରୁ ବାହାରି କଟକ ଯାଇ ଡମପଡ଼ାନିକଟ ବାଆଁରା ଠାରେ ଜଗତ ଗୁରୁ ଶ୍ରୀ କୃପାଳୁ ମହାରାଜ ବିଶ୍ଵବିଦ୍ୟାଳୟ କୁ ଉଦଘାଟନ କରିବେ । ସେଠାରୁ ଫେରିବା ପରେ  ଲୋକଭବନରେ ରାତ୍ରିଯାପନ କରିବେ ।     

କେନ୍ଦ୍ର ଗୃହ ମନ୍ତ୍ରାଳୟର ବ୍ଲୁ ବୁକ୍‌ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ପାଖେ ପାଖେ କମାଣ୍ଡୋ  ମୁତୟନ ରହିବେ । ଭୁବନେଶ୍ବରରେ ୪୦ପ୍ଲାଟୁନ ଓ କଟକରେ ୧୭ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । ୧୫୦ ଜଣ ପୁଲିସ ଅଫିସର  ତଦାରଖ କରିବେ । ଜଣେ ଲେଖାଏଁ  ଏସ୍‌ପି ପାହ୍ୟା ଅଧିକାରୀ ପ୍ରତି କାର୍ଯ୍ୟକ୍ରମ  ସ୍ଥଳର ସୁରକ୍ଷା ଦାୟିତ୍ୱ ମୁଣ୍ଡାଇବେ । 

କଟକ କାର୍ଯ୍ୟକ୍ରମ ପରେ ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବର୍ଷା ଋତୁକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଟ୍ରେନରେ ବ୍ରହ୍ମପୁର ଯାତ୍ରା କରିବେ। ସେଠାରୁ ସଡ଼କ ପଥରେ ତପ୍ତପାଣି ଯାଇ ମାଆ କନ୍ଧୁଣୀ ଦେବୀଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା କରିବେ । ଗୋଳବନ୍ଧ ଠାରେ ଆର୍ମି ଏୟାର ଡିଫେନସ କଲେଜରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ। ବ୍ରହ୍ମପୁର ରେଳ ଷ୍ଟେସନକୁ ହାଇ ଆଲର୍ଟ ଘୋଷଣା କରାଯାଇଛି । ଗଞ୍ଜାମ ଗସ୍ତ ବେଳେ ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।

ଅନ୍ୟପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବତନ୍ତ୍ର ଟ୍ରେନରେ ବ୍ରହ୍ମପୁର ଗସ୍ତ କରିବେ । ତିନିଦିନିଆ ଗସ୍ତ ବେଳେ ଏହା ସବୁଠାରୁ ବିଶେଷ ଆକର୍ଷଣ । ବର୍ଷା ଋତୁର ଅନିଶ୍ଚିତ ପାଣିପାଗ ଓ ସଡ଼କ ଯାତାୟାତର ସମ୍ଭାବ୍ୟ ବାଧାକୁ ଦୃଷ୍ଟିରେ ରଖି ଏଥର ରେଳଯାତ୍ରାକୁ ପ୍ରାଥମିକତା ଦିଆଯାଇଛି । ରାଷ୍ଟ୍ରପତିଙ୍କ ଟ୍ରେନ ଯାତ୍ରା ଏକ ସାଧାରଣ ଯାତ୍ରା ନୁହେଁ । ଏହା ସହ ଜଡ଼ିତ ରହିଥାଏ ଦେଶର ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା । ଏଥିପାଇଁ ରାଷ୍ଟ୍ରପତି ସଚିବାଳୟ, ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ, ଓଡ଼ିଶା ପୁଲିସ, ରେଳ ସୁରକ୍ଷା ବଳ, ଜିଆରପି ଏବଂ ପୂର୍ବତଟ ରେଳବାଇ ମିଳିତ ଭାବେ ପ୍ରତ୍ୟେକ ପଦକ୍ଷେପର ଯୋଜନା ପ୍ରସ୍ତୁତ କରିଛନ୍ତି । ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମଗ୍ର ରେଳପଥରେ ସୁରକ୍ଷା କଡ଼ାକଡ଼ି କରାଯିବ । ରେଲୱେ ଟ୍ରାକରେ ନିରନ୍ତର ପାଟ୍ରୋଲିଂ, ଆଣ୍ଟି-ସାବୋଟାଜ୍ ଯାଞ୍ଚ, ପ୍ରତ୍ୟେକ ଲେବଲ୍ କ୍ରସିଂରେ କର୍ମଚାରୀ ମୁତୟନ, ଷ୍ଟେସନରେ ଯାତ୍ରୀଙ୍କ ପ୍ରବେଶ ନିୟନ୍ତ୍ରଣ, ପ୍ଲାଟଫର୍ମରେ କେବଳ ଅନୁମୋଦିତ କର୍ମଚାରୀଙ୍କୁ ସ୍ୱତନ୍ତ୍ର ପାସ ସହ ପ୍ରବେଶ ଭଳି ବ୍ୟବସ୍ଥା ରହିବ ।

 

Tags: