ଆଜି ପବିତ୍ର ଇଦ- ଉଲ -ଜୁହା ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ସାରା ଦେଶରେ ଆଜି ପାଳନ ହେଉଛି ତ୍ୟାଗ ଓ ବଳିଦାନ ର ପର୍ବ ଇଦ୍-ଉଜ୍-ଜୁହା ( ବକ୍ରି ଇଦ୍ ) । ସାରା ଦେଶରେ କୋଟି କୋଟି ମୁସଲିମ୍ ଭାଇଭଉଣୀ ଏହି ପର୍ବକୁ ବେଶ୍ ଉତ୍ସାହର ସହ ପାଳନ କରୁଛନ୍ତି । ଇସଲାମିକ କ୍ୟାଲେଣ୍ଡରର ଏହି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପର୍ବ ଆମକୁ ସାଧୁତା, ସଂକଳ୍ପ, ତ୍ୟାଗ ଏବଂ ଦୟାର ବାର୍ତ୍ତା ଦେଇଥାଏ । ଦିଲ୍ଲୀ, କଲିକତା, ମୁମ୍ବାଇ, ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ଭଳି ବଡ଼ ବଡ଼ ସହରରେ ସରକାରୀ ଛୁଟି ଘୋଷଣା କରାଯାଇଥିବା ବେଳେ ଏହା ସାମ୍ପ୍ରଦାୟିକ ସଦ୍ଭାବନାକୁ ଆହୁରି ମଜବୁତ କରୁଛି । ବକ୍ରିଦ୍ ବଳିଦାନର ପର୍ବ । ଏହି ପର୍ବର ମୁଖ୍ୟ ଆଧାର ହେଉଛି କୁର୍ବାନୀ । ଯାହା ଆହ୍ଲାଙ୍କ ଇଚ୍ଛା ଆଗରେ ନିଜର ସବୁଠାରୁ ପ୍ରିୟ ଜିନିଷକୁ ତ୍ୟାଗ କରିବାର ପ୍ରତୀକ । ଏହା ଇବ୍ରାହିମ ଏବଂ ତାଙ୍କ ପୁତ୍ରଙ୍କ ଅତୁଟ ନିଷ୍ଠାକୁ ସମ୍ମାନ ଜଣାଇ ପାଳନ କରାଯାଏ । ମକ୍କାରେ ପବିତ୍ର ହଜ୍ ଯାତ୍ରାର ଶେଷ ଦିନରେ ଏହି ପର୍ବ ଆରମ୍ଭ ହୋଇଥାଏ ।
ସାମର୍ଥ୍ୟ ଅନୁଯାୟୀ ପରିବାର ପକ୍ଷରୁ ଛେଳି କିମ୍ବା ମେଣ୍ଢା ଆଦି କୁର୍ବାନୀ ଦିଆଯାଏ । ବକ୍ରି ଇଦ୍ ଦିନ ସକାଳୁ ମସଜିଦ୍ ଏବଂ ଇଦ୍ ଗାହଗୁଡ଼ିକରେ ସମୂହ ନମାଜ ପାଠ କରାଯାଏ । ଗରିବ ଓ ଅସହାୟ ଲୋକଙ୍କୁ ଖାଦ୍ୟ ଓ ସାହାଯ୍ୟ ପ୍ରଦାନ କରି ସମାଜରେ ସମାନତା ରକ୍ଷା କରିବା ଏହି ପର୍ବର ମୂଳ ଲକ୍ଷ୍ୟ । ମୁଖ୍ୟ ପର୍ବ ମେ ୨୮ରେ ହେଉଥିଲେ ମଧ୍ୟ ସ୍ଥାନୀୟ ପରମ୍ପରା ଅନୁସାରେ ଏହି ଉତ୍ସବ ୨ ରୁ ୪ ଦିନ ପର୍ଯ୍ୟନ୍ତ ଚାଲିଥାଏ ।
ବକ୍ରି ଇଦ୍ ପର୍ବ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଇଦ୍-ଉଜ୍-ଜୁହା ସମସ୍ତ ମୁସଲିମ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଇଦ୍-ଉଜ୍-ଜୁହାକୁ ଭକ୍ତି, ତ୍ୟାଗ ଏବଂ ତ୍ୟାଗର ପ୍ରତୀକ ଭାବରେ ବର୍ଣ୍ଣନା କରି ରାଷ୍ଟ୍ରପତି କହିଛନ୍ତି,ଏହି ପର୍ବ ଆମକୁ ମାନବତାର ସେବା କରିବାକୁ ପ୍ରେରଣା ଦିଏ। ରାଷ୍ଟ୍ରପତି ଏକ୍ସରେ ଲେଖିଛନ୍ତି,ଇଦ୍-ଉଜ୍-ଜୁହା ଅବସରରେ ମୁଁ ସମସ୍ତ ନାଗରିକଙ୍କୁ ବିଶେଷକରି ମୋର ମୁସଲମାନ ଭାଇଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ଏହି ପର୍ବ ଭକ୍ତି, ତ୍ୟାଗ ଏବଂ ବଳିଦାନର ପ୍ରତୀକ। ଏହା ଆମକୁ ମାନବତାର ସେବା କରିବାକୁ ପ୍ରେରଣା ଦିଏ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଅବସରରେ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
‘ଏକ୍ସ’ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି, ଇଦ୍-ଉଜ୍-ଜୁହାର ଶୁଭେଚ୍ଛା। ଏହି ପର୍ବ ଆମ ସମାଜରେ ଭାଇଚାରା ଏବଂ ଖୁସିର ଭାବନାକୁ ଆହୁରି ମଜଭୁତ କରୁ। ସମସ୍ତଙ୍କ ସଫଳତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା।




