ଚନ୍ଦନଯାତ୍ରା ପ୍ରସ୍ତୁତି , ବାହାରିଲା ୫ ଡଙ୍ଗା
ପୁରୀ : ଆସନ୍ତା ୨୦ ତାରିଖରେ ପବିତ୍ର ଚନ୍ଦନ ଯାତ୍ରା । ଚାପ ଖେଳିବେ ମହାପ୍ରଭୁ । ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀରୁ ୫ଟି ଡଙ୍ଗା କଢ଼ାଯାଇଛି । ବର୍ଷ ତମାମ ପାଣିରେ ପୋତା ଯାଇଥିବା ନନ୍ଦା, ଭଦ୍ରା, ବୈଜୟନ୍ତୀ,ବିମଳା ଓ ମଙ୍ଗଳା ୫ଟି ଡଙ୍ଗାକୁ କାଢ଼ିଛନ୍ତି ଭୋଇ ସେବକ । ଏହି ଯାତ୍ରା ଏପ୍ରିଲ ୨୦ରୁ ଆରମ୍ଭ ହୋଇ ମେ ୧୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ୨୧ଦିନ ଧରି ଅନୁଷ୍ଠିତ ହେବ। ଏଥିପାଇଁ ପବିତ୍ର ଶ୍ରୀରାମ ନବମୀ ଅବସରରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି।
ମହାପ୍ରଭୁ ଏଠାରେ ମାନବ ରୂପରେ ଲୀଳା କରୁଛନ୍ତି । ଯେମିତି ଅତ୍ୟଧିକ ଶୀତ ହେଲେ ଘୋଡ ବସ୍ତ୍ର ଲାଗି ହୋଇଥାଏ ଠିକ୍ ସେହିପରି ଅତ୍ୟଧିକ ଗରମ ଲାଘବ ନିମନ୍ତେ ୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଚାପ ଖେଳିଥାନ୍ତି । ସେଥିପାଇଁ ଡଙ୍ଗାଗୁଡ଼ିକୁ ପାଣିରୁ କଢ଼ାଯାଇ ଆବଶ୍ୟକୀୟ ମରାମତି କରାଯାଏ । ଏହାପରେ ରଙ୍ଗ କରାଯାଏ । ତାପରେ ଏଥିରେ ଚାପ ଖେଳନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ସହିତ ପଞ୍ଚୁ ପାଣ୍ଡଵ ମଧ୍ୟ ଚାପ ଖେଳିଥାନ୍ତି ବୋଲି ପରାଣିଲ କିମ୍ବଦନ୍ତୀ ରହିଛି । ଦ୍ୱାପର ଯୁଗରୁ ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଛି ।
ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଚାପ ଅନୁଷ୍ଠିତ ହେବାପରେ ଶ୍ରୀମନ୍ଦିର ଭିତରେ ମଧ୍ୟ ଭିତର ଚନ୍ଦନ ଯାତ୍ରା ମହାପ୍ରଭୁଙ୍କ ସ୍ନାନଯାତ୍ରା ପୂର୍ବ ଦିନ ଯାଏ ଅନୁଷ୍ଠିତ ହୋଇଥାଏ । ନରେନ୍ଦ୍ର ପୁଷ୍କରିଣୀରେ ଥିବା ଚନ୍ଦନ କୁଣ୍ଡରେ ଠାକୁର ମାନେ ବୁଡି ରହିଥାନ୍ତି । ଛେନାରୁ ପ୍ରସ୍ତୁତ ହୋଇଥିବା କେଳି, ମାଣ୍ଡୁଆ ଭୋଗ ହୋଇଥାଏ । ମହାପ୍ରଭୁଙ୍କୁ ତାମ୍ବୁଳ ସେବନ କରାଇଥାଆନ୍ତି ସେବକ ମାନେ । ନରେନ୍ଦ୍ର ପୁଷ୍କରିଣୀରେ ନୌବିହାର ଶେଷ ହେବା ପରେ ବିଳମ୍ବିତ ରତିରେ ମହାପ୍ରଭୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଥାନ୍ତି । ପଞ୍ଚୁ ପାଣ୍ଡବ ମଧ୍ୟ ସ୍ୱସ୍ଥାନକୁ ଗମନ କରିଥାଆନ୍ତି । ଏହି ଭଳି ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଚନ୍ଦନ ଯାତ୍ରା ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଚନ୍ଦନଲାଗି, ଆଲଟ ଲାଗି ନୀତି ଅନୁଷ୍ଠିତ ହୋଇଥାଏ ।



