ଭିଜିଲାନ୍ସ କୁ ଦେଖି ପୋଖରୀକୁ ଡେଇଁଲେ ପୋଲିସ ଏସଆଇ
ସମ୍ବଲପୁର : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପୋଲିସ ବାବୁ । ଏକ କେସ୍ ଫାଇନାଲ୍ କରିବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଏସଆଇ ସୁଜିତ କୁମାର ମହାନ୍ତ । ଏହି ସମୟରେ ଭିଜିଲାନ୍ସ ଟିମକୁ ଦେଖି ରାସ୍ତାରେ ଦୌଡ଼ି ପଳାଇବାବେଳେ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ ଏସଆଇ । ତେବେ ଭିଜିଲାନ୍ସ ଟିମ ମଧ୍ୟ ତାଙ୍କୁ ପିଛା କରି ପୋଖରୀ ଭିତରୁ ଉଦ୍ଧାର କରି ଗିରଫ କରିଛି । ତାଙ୍କ ନିକଟରୁ ୧୦ ହଜାର ଟଙ୍କା ଉଦ୍ଧାର କରିଛି ଭିଜିଲାନ୍ସ ।
ସୂଚନାନୁସାରେ, ଜଣେ ଅଭିଯୋଗକାରୀଙ୍କ ନାମରେ ଥାନାରେ ରୁଜୁ ହୋଇଥିବା ଏକ ମାମଲାର କାଗଜପତ୍ର ଫାଇନାଲ୍ କରିବା ପାଇଁ ଏସଆଇ ସୁଜିତ କୁମାର ମହାନ୍ତ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏଥିସହ ସେ ଅଭିଯୋଗକାରୀଙ୍କୁ ଥାନା ବାହାରେ ଏକ ନିର୍ଜନ ସ୍ଥାନକୁ ଟଙ୍କା ଦେବା ପାଇଁ ଡାକିଥିଲେ । ଘଟଣାପରେ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ ଅଭିଯୋଗକାରୀ । ଭିଜିଲାନ୍ସର ଯୋଜନା ମୁତାବକ ଗତକାଲି ଅଭିଯୋଗକାରୀଙ୍କ ଠାରୁ ଥାନା ବାହାରେ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଟିମକୁ ଦେଖି ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ । ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଗୋଡ଼ାଇ ଥିଲେ । ନିଜକୁ ରକ୍ଷା କରିବା ପାଇଁ ଏସଆଇ ସୁଜିତ କୁମାର ନିକଟରେ ଥିବା ଏକ ପୋଖରୀ ଭିତରକୁ ଡେଇଁ ପଡ଼ିଥିଲେ । ଏହି ସମୟରେ ଭିଜିଲାନ୍ସ ଟିମ୍ ର ଜଣେ ସଦସ୍ୟ ପୋଖରୀକୁ ଡେଇଁ ପହଁରି ପହଁରି ତାଙ୍କୁ କାବୁ କରିଥିଲେ ।




