ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକଙ୍କୁ ବଞ୍ଚାଇଲା ପୋଲିସ
ଭୁବନେଶ୍ୱର : ପୋଲିସ ର ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଯାଇଛି ଏକ ଅମୁଲ୍ୟ ଜୀବନ । ମୋବାଇଲରେ ଲାଇଭ ଭିଡିଓ କରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ବିଫଳ ହୋଇଛି । ଯୁବକ ଜଣକ ଚିନ୍ତାମଣିଶ୍ବର ଅଞ୍ଚଳରେ ଥିବା ଏକ ହୋଟେଲରେ ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ଦୃଶ୍ୟକୁ ସେ ମୋବାଇଲରେ ଲାଇଭ କରି ମୋବାଇଲ ସୁଇଚ ଅଫ କରି ହୋଟେଲ ଭିତରେ ଲୁଚି ରହିଥିଲେ । ପରିବାର ଲୋକଙ୍କ ଠାରୁ ଖବରପାଇ ଧଉଳି ଥାନା ପୋଲିସ ହ୍ୟୁମାନ ଇଣ୍ଟେଲିଯେନ୍ସ ଓ ସିସିଟିଭି ଜରିଆରେ ଛାନବିନ ଚଳାଇଥିଲା । ମୋବାଇଲର ଶେଷ ଲୋକେସନ ମୁତାବକ ପୋଲିସ ଚିନ୍ତାମଣିଶ୍ବର ଅଞ୍ଚଳରେ ଥିବା ଏକ ହୋଟେଲରେ ପହଞ୍ଚି ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲା । ଆତ୍ମହତ୍ୟା ପାଇଁ ଯୁବକ ଜଣଙ୍କ ନିଜ ହାତ କାଟିଦେଇଥିବା ଜଣାପଡିଥିଲା । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଧଉଳି ଥାନା ପୋଲିସ ପାଇଁ ଯୁବକଙ୍କ ଜୀବନ ବଂଚିଯାଇଥିବା ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ତେବେ ମାନସିକ ଚାପ ଯୋଗୁଁ ଯୁବକ ଜଣକ ଏଭଳି ପଦକ୍ଷେପ ନେଇଥିବା ପ୍ରାଥମିକ ସୂଚନା ମିଳିଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।




