ବାଲି ମାଫିଆଙ୍କ ଘରେ ପୋଲିସ ଚଢ଼ାଉ, ବିଭିନ୍ନ ସ୍ଥାନରୁ ୨୫ଲକ୍ଷ ଜବତ
କେନ୍ଦୁଝର : କେନ୍ଦୁଝର ପୋଲିସକୁ ବଡ଼ ସଫଳତା । ବାଲି ମାଫିଆଙ୍କ ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ୨୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଛି । ଆନନ୍ଦପୁର, ଘସିପୁରା , ନନ୍ଦିପଦା ଅଞ୍ଚଳରେ ବଡ଼ ଧରଣର ପୋଲିସ ଚଢ଼ାଉ କରାଯାଇ ବାଲି ମାଫିଆରେ ସମ୍ପୃକ୍ତ ଥିବା ୧୨ରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଅଟକ ରଖି ପଚାର ଉଚରା ଚାଲିଛି । ସେହିପରି ୩୦ରୁ ଅଧିକ ଗାଡି ଜବତ ହୋଇଛି । ଏହି ଚଢାଉରେ ପୋଲିସକୁ ବହୁ ସଂଖ୍ୟାରେ ବ୍ୟାଙ୍କ ପାସ୍ ବୁକ୍, ବୀମା କାଗଜପତ୍ର ଏବଂ ବାଲି ପରିବହନ ପାଇଁ ପ୍ରସ୍ତୁତ କରାଯାଇଥିବା ଏକାଧିକ ଜାଲ୍ ଦସ୍ତାବିଜକୁ ମଧ୍ୟ ହେପାଜତକୁ ନେଇଛି ।
ଘଟଗାଁର ବାଲି ବ୍ୟବସାୟୀ ଜିତେନ୍ଦ୍ର ସାଙ୍କ ଘରେ ସ୍ପେଶାଲ ସ୍କ୍ୱାର୍ଡ ଚଢ଼ାଉ ଜାରି ରହିଛି । ବେଆଇନ ବାଲି କାରବାର ଓ ସେଥିସହ ଜଡିତ ଆର୍ଥିକ କାରବାରକୁ ନେଇ ପୋଲିସ ପକ୍ଷରୁ ଏହି ବିଶେଷ ଅଭିଯାନ ଚାଲିଥିବା ସୂଚନା ମିଳିଛି । ଚଢ଼ାଉ ସମୟରେ ବିଭିନ୍ନ କାଗଜପତ୍ର ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯାଞ୍ଚ କରାଯାଉଛି ।
ଆନନ୍ଦପୁର ଅଞ୍ଚଳରେ ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ଚାଲାଣର ବାରମ୍ବାର ଅଭିଯୋଗ ପରେ ଆକ୍ସନ ମୁଡ଼ ରେ କେନ୍ଦୁଝର ପୋଲିସ । ଆଜି ସକାଳୁ ଅତିରିକ୍ତ ଏସିଙ୍କ ନେତୃତ୍ୱରେ କେନ୍ଦୁଝର ପୋଲିସର ସ୍ୱତନ୍ତ୍ର ଟିମ ବାଲି ଚାଲାଣ ରେ ବେଆଇନ ଭାବେ ବ୍ୟବହୃତ ଟ୍ରାଞ୍ଜିଟ ପାସ ସମେତ ଏକାଉଣ୍ଟରେ ନେଣଦେଣକୁ ନେଇ ଅଭିଯୋଗ ଥିବା ବ୍ୟକ୍ତିଙ୍କ ଉପରେ ଚଢ଼ାଉ ଚାଲିଛି । ପୋଲିସର ସ୍ୱତନ୍ତ୍ର ଟିମ ୧୨ଟି ସ୍ଥାନରେ ଭାଗ ହୋଇ ଚଢ଼ାଉ କରୁଛି ।



