ଗୋ-ମାଫିଆଙ୍କ ୭ଟି ସ୍ଥାନରେ ପୋଲିସ ଚଢ଼ାଉ, ୨ଗିରଫ
ବାଲେଶ୍ୱର : ଗୋ-ମାଫିଆଙ୍କ ଉପରେ ବଡ଼ ଆକ୍ସନ । ରାଜ୍ୟରେ ବେଆଇନ ଗୋ-ଚାଲାଣ ଏବଂ ଗୋ-ମାଫିଆଙ୍କ ନେଟୱର୍କକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିବା ପାଇଁ ବାଲେଶ୍ୱର ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଅପରେସନ ଆରମ୍ଭ ହୋଇଛି । ଗତ ବିଳମ୍ବିତ ରାତିରୁ ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲାର ଗୋ-ମାଫିଆଙ୍କ ୭ଟି ସ୍ଥାନ ଉପରେ ଚଢ଼ାଉ କରିଛି ପୋଲିସ । ପୂର୍ବରୁ ମଧ୍ୟ ଗୋ-ମାଫିଆଙ୍କ ବିରୋଧରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଏହା ହେଉଛି ପୁଲିସର ଦ୍ୱିତୀୟ ପର୍ଯ୍ୟାୟ ବଡ଼ ଚଢ଼ାଉ । ସଦର ଥାନା ଅନ୍ତର୍ଗତ ଚଷାଖଣ୍ଡ ପଞ୍ଚାୟତର ଜଙ୍ଖରାଇ ଗ୍ରାମରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସହ ତହସିଲଦାର ମଧ୍ୟ ଉପସ୍ଥିତ ରହି ଚଢ଼ାଉ କରୁଛନ୍ତି।
ସେହିପରି ମୟୂରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ ଅପରାଧୀ ଓ ମାଫିଆଙ୍କ ବିରୋଧରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଝାରପୋଖରିଆ ଥାନା ଅଞ୍ଚଳର ଦୁଇଟି ପୃଥକ ସ୍ଥାନରେ ପୋଲିସର ସ୍ୱତନ୍ତ୍ର ଟିମ୍ ଏକକାଳୀନ ଚଢ଼ାଉ କରିଛି । ଏହି ରେଡ୍ ବିଶେଷ କରି ସ୍ଥାନୀୟ ଗଞ୍ଜେଇ ଓ ଗୋ-ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ କରାଯାଉଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ, ଆଜି ସକାଳୁ ମୟୂରଭଞ୍ଜ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଝାରପୋଖରିଆ ସାରସକଣା, ରାଇରଙ୍ଗପୁରରେ ଚଢ଼ାଉ କରିଛି । ଝାରପୋଖରିଆ ଥାନାରେ କେଶ ନଂ ୧୦୭/୨୬ ଅନୁଯାଇ ଅଞ୍ଚଳର ଉତ୍ତମ କୁମାର ଦଣ୍ଡପାଟ ଏବଂ କେଶ ନଂ ୧୫୦/୨୬ ଅନୁଯାଇ ଶୀର୍ଷା ଅଞ୍ଚଳର ଅର୍ଜୁନ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରିଛି । ସେହିପରି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା କେନ୍ଦ୍ରଇ ଗ୍ରାମରେ ଦୁଇଟି ଗୋରୁ ମାଫିଆଙ୍କ ଘରେ ଚାଲିଛି ପୋଲିସର ଚଢ଼ାଉ । କେନ୍ଦ୍ରଇ ଗ୍ରାମର ଏସ କେ ଟକରା ଏବଂ ଏସକେ ତବରେଜ ଘରେ ଚାଲିଛି ଚଢ଼ାଉ । ଦୁଇଜଣଙ୍କ ଘରୁ ନଗଦ ଟଙ୍କା ଓ ବିପୁଳ ସୁନା ରୁପା ଗହଣା ଜବତ କରାଯାଇଛି। ଆକଳନ ପରେ ସଠିକ ଜବତ ମୂଲ୍ୟ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଚଢ଼ାଉରେ ରାଇରଙ୍ଗପୁର ଏସଡିପିଓ, ଗ୍ରାମାଞ୍ଚଳ, ବାଦାମପାହାଡ଼, ବହଳଦା, ଗୋରୁମାହିସାଣି ପୋଲିସ ସହ ବାରିପଦାରୁ ତିନି ପ୍ଲାଟୁନ ପୋଲିସ ଫର୍ସ ସାମିଲ ହୋଇଛନ୍ତି ।
ଅନ୍ୟପଟେ, ଭଦ୍ରକର ପୁରୁଣାବଜାର ଓ ଟାଉନ ଥାନା ଅଞ୍ଚଳର ୬ଟି ସ୍ଥାନରେ ଚଢ଼ାଉ କରୁଛି ପୋଲିସ । ଭଦ୍ରକରୁ ଦୁଇ ଗୋମାଫିଆଙ୍କୁ ଗିରଫ କରିବା ସହ ଟଙ୍କା, ସୁନା, ବ୍ୟାଙ୍କ ପାସବୁକ ଜବତ କରିଛି ପୋଲିସ । ଗିରଫ ଦୁଇ ଗୋ ମାଫିଆ ହେଲେ ଜାହିଦ ଖାନ ଓ ମାତର ଖାନ ।



