ଅଗଷ୍ଟରେ ଅବସର ନେବେ ପୋଲିସ ଡିଜି ୱାଇ.ବି. ଖୁରାନିଆ, ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ଅଗଷ୍ଟରେ ଅବସର ନେବେ ପୋଲିସ ଡିଜି ୱାଇ.ବି. ଖୁରାନିଆ, ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
Samaya Live News Picture
Published On

ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୧୬ରେ ଅବସର ନେବେ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ । ୱାଇ.ବି. ଖୁରାନିଆଙ୍କ ଅବସର ସଂକ୍ରାନ୍ତରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ୧୯୯୦ ବ୍ୟାଚର ଆଇପିଏସ୍ ଅଧିକାରୀ ଖୁରାନିଆ ୨୦୨୪ ଅଗଷ୍ଟ ୧୬ରେ ଓଡ଼ିଶାର ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ରାଜ୍ୟର ସର୍ବୋଚ୍ଚ ପୋଲିସ ଅଧିକାରୀ ଭାବେ ନ୍ୟୁନତମ ଦୁଇ ବର୍ଷର କାର୍ଯ୍ୟକାଳ ପୂରଣ କରିବା ପାଇଁ ତାଙ୍କ କାର୍ଯ୍ୟକାଳକୁ ୧୬ ଅଗଷ୍ଟ ପର୍ଯ୍ୟନ୍ତ ବଢ଼ାଯାଇଥିଲା । 

ଖୁରାନିଆ ଓଡ଼ିଶାର ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ ଓ ରାଉରକେଲାରେ ଏସ୍ ପି ଭାବେ କାର୍ଯ୍ୟ କରିଥିବାବେଳେ ଭୁବନେଶ୍ୱର-କଟକ ପୋଲିସ କମିଶନର, ଆଇଜି ଅପରେସନ ଓ ଭିଜିଲାନ୍ସର ସ୍ପେଶାଲ୍ ଡାଇରେକ୍ଟର ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ମଧ୍ୟ ଦାୟିତ୍ୱ ସମ୍ଭାଳିଛନ୍ତି । BSFର ବିଭିନ୍ନ ଉଚ୍ଚ ପଦବୀରେ କାର୍ଯ୍ୟ କରିଥିବା ଖୁରାନିଆ ରାଜ୍ୟପାଳ ପଦକ, ପୋଲିସ ମେଡାଲ୍ ଫର୍ ମେରିଟୋରିଅସ୍ ସର୍ଭିସ୍, ରାଷ୍ଟ୍ରପତି ପୋଲିସ ପଦକ, ଅତି ଉତ୍କୃଷ୍ଟ ସେବା ପଦକ ସହ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ସେପଟେ, ୟୁପିଏସସି ଗାଇଡ୍‌ଲାଇନ୍ ଅନୁସାରେ ଡିଜିପି ଚୟନ ପାଇଁ ଗତ ମେ’ ୧୪ ତାରିଖରେ ୧୧ ଜଣ ବରିଷ୍ଠ ଆଇପିଏସ୍‌ଙ୍କ ନାଁ ୟୁପିଏସସିକୁ ପଠାଇଛନ୍ତି ରାଜ୍ୟ ସରକାର । ସେମାନେ ହେଲେ ୧୯୯୦ ବ୍ୟାଚର ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚର ଆଇପିଏସ୍ ସୁଶାନ୍ତ ନାଥ ଓ ୧୯୯୩ ବ୍ୟାଚର ଆଇପିଏସ ଆର୍ ପି କୋଚେ । ୧୯୯୫ବ୍ୟାଚର ପି ଏସ୍ ରଣପିସେ, ୧୯୯୬ ବ୍ୟାଚର ଅରୁଣ ବୋଥ୍ରା, ୧୯୯୬ ବ୍ୟାଚର ଆଇପିଏସ୍ ସୁନୀତା କାକରାନ । ୟୁପିଏସସି ସୁପାରିଶ ପାଇବା ପରେ ରାଜ୍ୟ ସରକାର ନୂଆ ପୋଲିସ ମୁଖ୍ୟଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରିବେ।

Tags: