ପିଏମ୍ ସ୍ୱନିଧି ଯୋଜନା; ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କଲେ ରାଜ୍ୟ ସରକାର

ପିଏମ୍ ସ୍ୱନିଧି ଯୋଜନା; ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କଲେ ରାଜ୍ୟ ସରକାର
Samaya Live News Picture
Published On

ଭୁବନେଶ୍ବର : ରାସ୍ତାକଡ଼ ବ୍ୟବସାୟୀ (ଷ୍ଟ୍ରିଟ୍ ଭେଣ୍ଡର)ମାନଙ୍କ ପାଇଁ ବଡ଼ ଆଶ୍ବସ୍ତି ଆଣି ଦେଇଛନ୍ତି ରାଜ୍ୟ ସରକାର । ପିଏମ୍ ସ୍ୱନିଧି (ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି) ଯୋଜନା ଅଧୀନରେ ମଞ୍ଜୁର ହେଉଥିବା ତିନୋଟି ପର୍ଯ୍ୟାୟର ଋଣ ଉପରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରିଛନ୍ତି। ହାଇପୋଥିକେସନ୍ ଚୁକ୍ତିପତ୍ର ଉପରେ ଲାଗୁଥିବା ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ ହୋଇଛି । 

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ଆଦେଶ ଅନୁଯାୟୀ, ପିଏମ୍ ସ୍ୱନିଧି ଯୋଜନାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଋଣ କିସ୍ତି ସମ୍ବନ୍ଧୀୟ ହାଇପୋଥିକେସନ୍ ଏଗ୍ରିମେଣ୍ଟଗୁଡ଼ିକ ଉପରେ ଷ୍ଟାମ୍ପ ଶୁଳ୍କ ଆଦାୟ କରାଯିବ ନାହିଁ । ଭାରତୀୟ ଷ୍ଟାମ୍ପ ଆଇନ, ୧୮୯୯ର ଧାରା ୯(୧)(କ) ଅନୁଯାୟୀ ପ୍ରଦତ୍ତ କ୍ଷମତା ବଳରେ ଏହି ନିଷ୍ପତ୍ତି ନିଆଯାଇଛି ।

ସରକାରଙ୍କ ଏହି ପଦକ୍ଷେପ ଫଳରେ ରାସ୍ତାକଡ଼ ବ୍ୟବସାୟୀମାନଙ୍କର ଋଣ ନେବା ଖର୍ଚ୍ଚ କମିବା ସହ ଔପଚାରିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ମାଧ୍ୟମରେ ସହଜରେ ଋଣ ପାଇବାର ସୁଯୋଗ ବଢ଼ିବ । ଏହା ଦ୍ୱାରା ଛୋଟ ବ୍ୟବସାୟୀମାନଙ୍କ ଜୀବିକାକୁ ଅଧିକ ସୁଦୃଢ଼ କରିବା ସହ ସେମାନଙ୍କ ଆର୍ଥିକ ସଶକ୍ତିକରଣରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ସୂଚନାନୁସାରେ, କୋଭିଡ୍-୧୯ ମହାମାରୀ ପରେ ପ୍ରଭାବିତ ରାସ୍ତାକଡ଼ ବ୍ୟବସାୟୀମାନଙ୍କୁ ପୁନର୍ବାସ ଓ ଆର୍ଥିକ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପିଏମ୍ ସ୍ୱନିଧି ଯୋଜନା ଆରମ୍ଭ କରିଥିଲେ । ଓଡ଼ିଶା ସରକାରଙ୍କ ଏହି ନୂତନ ନିଷ୍ପତ୍ତି ଯୋଜନାର ଲାଭ ଅଧିକ ସଂଖ୍ୟକ ହିତାଧିକାରୀଙ୍କ ନିକଟକୁ ପହଞ୍ଚାଇବାରେ ସହାୟକ ହେବ ।

Tags: