ପିଏମ୍ ସ୍ୱନିଧି ସମ୍ମାନ -୨୦୨୬, ଜାତୀୟ ସ୍ତରରେ ୩ୟ ସ୍ଥାନ ହାସଲ କଲା ଓଡ଼ିଶା

ପିଏମ୍ ସ୍ୱନିଧି ସମ୍ମାନ -୨୦୨୬, ଜାତୀୟ ସ୍ତରରେ ୩ୟ ସ୍ଥାନ ହାସଲ କଲା ଓଡ଼ିଶା
Samaya Live News Picture
Published On

ନୂଆଦିଲ୍ଲୀ/ଭୁବନେଶ୍ୱର : ଜାତୀୟ ସ୍ତରରେ ଚମକିଲା ଓଡିଶା । ପିଏମ୍ ସ୍ୱନିଧି ଯୋଜନାର ସଫଳ ରୂପାୟନ ଓ ଦୃତ ଅଗ୍ରଗତି ପାଇଁ ‘ବେଷ୍ଟ ପର୍ଫମିଙ୍ଗ – ଫାଷ୍ଟେଷ୍ଟ ମୁଭର’ ବର୍ଗରେ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରିଛି । ଏହି ସଫଳତା ରାଜ୍ୟର ରାସ୍ତାକଡ଼ ବ୍ୟବସାୟୀଙ୍କ ଆର୍ଥିକ ସ୍ୱାବଲମ୍ବନ ଦିଗରେ ଓଡ଼ିଶାର ଅଗ୍ରଗତିକୁ ପ୍ରମାଣିତ କରିଛି ।

ନଭେମ୍ବର ୨୧ ତାରିଖରେ ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଇଣ୍ଟରନ୍ୟାସନାଲ୍ ସେଣ୍ଟରଠାରେ ଆୟୋଜିତ ଭବ୍ୟ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । କେନ୍ଦ୍ର ଗୃହ ନିର୍ମାଣ ଓ ସହର ବ୍ୟାପାର ମନ୍ତ୍ରୀ ମନୋହର ଲାଲ୍ ଏବଂ ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭାଗୀୟ ଅତିରିକ୍ତ ସଚିବ ସୁଶାନ୍ତ ସିଂହ ପୁରସ୍କାର ଗ୍ରହଣ କରିଥିଲେ । ଚଳିତ ବର୍ଷର ସମାରୋହର ବିଷୟବସ୍ତୁ ଥିଲା ‘ଷ୍ଟ୍ରିଟ୍ ଭେଣ୍ଡର୍ସ ଟୁ ଷ୍ଟ୍ରିଟ୍ ୱଣ୍ଡର୍ସ’ । ୨୦୨୫ ସେପ୍ଟେମ୍ବର ୧ରୁ ୨୦୨୬ ଅଗଷ୍ଟ ୩୧ ପର୍ଯ୍ୟନ୍ତ ରାଜ୍ୟର ପ୍ରଦର୍ଶନକୁ ଆଧାର କରି ଏହି ପୁରସ୍କାର ଦିଆଯାଇଛି । 

ଏହି ସଫଳତାକୁ ନେଇ ରାଜ୍ୟର ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଏହି ଜାତୀୟ ସମ୍ମାନ ଓଡ଼ିଶାର ରାସ୍ତାକଡ଼ ବ୍ୟବସାୟୀଙ୍କୁ ସମର୍ପିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ନେତୃତ୍ୱରେ ପୌର ସଂସ୍ଥା, ବ୍ୟାଙ୍କ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ବ୍ୟବସାୟୀଙ୍କୁ ଆନୁଷ୍ଠାନିକ ଋଣ ବ୍ୟବସ୍ଥା ଓ ଡିଜିଟାଲ୍ ଅର୍ଥନୀତି ସହ ଯୋଡ଼ାଯାଇପାରିଛି । ସେହିପରି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି, ଏହି ପୁରସ୍କାର ଟିମ୍ ଅର୍ବାନ୍ ଓଡ଼ିଶାର କ୍ଷେତ୍ରସ୍ତରୀୟ ପରିଶ୍ରମର ଫଳ । ପୌରପାଳିକା ଟିମ୍ ଓ ବ୍ୟାଙ୍କଗୁଡ଼ିକ ମିଳିତ ଭାବେ ବ୍ୟବସାୟୀଙ୍କୁ ଋଣ ଆବେଦନ, ଡିଜିଟାଲ୍ ପେମେଣ୍ଟ୍ ଏବଂ ସରକାରୀ ଯୋଜନାର ଲାଭ ପହଞ୍ଚାଇବାରେ ସହଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୨୦ ଜୁନ୍ ୧ ତାରିଖରେ ଆରମ୍ଭ ହୋଇଥିବା ପିଏମ୍ ସ୍ୱନିଧି ଯୋଜନା ଅଧୀନରେ ଦେଶର ପ୍ରାୟ ୮୧ ଲକ୍ଷ ରାସ୍ତାକଡ଼ ବ୍ୟବସାୟୀ ୧.୨୧ କୋଟିରୁ ଅଧିକ ଋଣ ପାଇଛନ୍ତି । ଏହାର ମୋଟ ମୂଲ୍ୟ ପ୍ରାୟ ୨୦ ହଜାର କୋଟି ଟଙ୍କା । ଯୋଜନାର ପୁନର୍ଗଠନ ପରେ ପ୍ରଥମ ବର୍ଷରେ ୨୨ ଲକ୍ଷ ଋଣ ବାବଦରେ ୬,୨୯୪ କୋଟି ଟଙ୍କା ବଣ୍ଟନ କରାଯାଇଛି । ଏଥିରେ ୧୦.୬ ଲକ୍ଷ ନୂଆ ହିତାଧିକାରୀ ସାମିଲ ହୋଇଛନ୍ତି । ଏହାସହ ଯୋଗ୍ୟ ବ୍ୟବସାୟୀଙ୍କ ପାଇଁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ସୀମା ଥିବା UPI ସଂଯୁକ୍ତ RuPay କ୍ରେଡିଟ୍ କାର୍ଡର ସୁବିଧା ମଧ୍ୟ ରହିଛି। ଚଳିତ ବର୍ଷ ଏହି ସମାରୋହରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ପୌର ସଂସ୍ଥା, ଋଣ ପ୍ରଦାନକାରୀ ସଂସ୍ଥା ଓ ସହଯୋଗୀ ସଂଗଠନକୁ ମୋଟ ୫୨ଟି ପୁରସ୍କାର ସହ ୫ଟି ସ୍ୱତନ୍ତ୍ର ସ୍ୱୀକୃତି ପ୍ରଦାନ କରାଯାଇଛି ।

 

Tags: