ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ୍-ଅଫ୍ ଲିଷ୍ଟ , ଶୀର୍ଷରେ ରେଭେନ୍ସା
ଭୁବନେଶ୍ୱର : ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା କଟ୍-ଅଫ୍ ଲିଷ୍ଟ । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ନାମଲେଖା ପାଇଁ ପ୍ରଥମ କଟ୍-ଅଫ୍ ମାର୍କ ପ୍ରକାଶ କରାଯାଇଛି । ଚଳିତବର୍ଷ ମଧ୍ୟ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସର୍ବାଧିକ କଟ୍-ଅଫ୍ ସହ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି । ରେଭେନ୍ସାରେ କଳାରେ ୮୧%, ବାଣିଜ୍ୟରେ ୮୨.୪୦% ଏବଂ ବିଜ୍ଞାନରେ ସର୍ବାଧିକ ୯୩.୪୦% କଟ୍-ଅଫ୍ ରହିଛି । ବିଶେଷକରି ବିଜ୍ଞାନ ବିଭାଗରେ ୯୩ ପ୍ରତିଶତରୁ ଅଧିକ କଟ୍-ଅଫ୍ ରହିଥିବାରୁ ଏହା ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ବୋଲି ପୁଣିଥରେ ସ୍ପଷ୍ଟ ହୋଇଛି । ଚଳିତ ବର୍ଷ ମୋଟ ୪,୬୧,୩୨୫ ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୯୩.୦୪ ପ୍ରତିଶତ ଅର୍ଥାତ୍ ୪,୨୯,୨୧୯ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି ।
କଳାରେ ୨,୭୬,୯୨୫, ବିଜ୍ଞାନରେ ୧,୨୧,୪୯୪, ବାଣିଜ୍ୟରେ ୧୯,୮୪୪, ଉପଶାସ୍ତ୍ରୀରେ ୬,୧୩୪, ଧନ୍ଦାମୂଳକ ଶିକ୍ଷାରେ ୪,୮୨୨ ଜଣ ରହିଛନ୍ତି। ସେହିଭଳି ୨,୦୦,୪୯୩ ଛାତ୍ର ଥିବାବେଳେ ୨,୨୮,୬୭୫ ଛାତ୍ରୀ ଏବଂ ୫୧ ଜଣ ଅନ୍ୟାନ୍ୟ ବର୍ଗର ଛାତ୍ରଛାତ୍ରୀ ଅଛନ୍ତି। ଏଥିସହ ମୋଟ ମନୋନୀତଙ୍କ ମଧ୍ୟରୁ ୨, ୭୪,୪୫୪ ଜଣଙ୍କୁ ସେମାନଙ୍କର ପ୍ରଥମ ପସନ୍ଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମିଳିଥିବା ବେଳେ ୩୨,୧୦୬ ଜଣ ପ୍ରଥମ ପର୍ଯ୍ୟାୟରେ ଅନୁପଯୁକ୍ତ ରହି ଦ୍ୱିତୀୟ ଓ ସ୍ପଟ୍ ସିଲେକ୍ସନ ପାଇଁ ସୁଯୋଗ ପାଇବେ।
କଟ୍-ଅଫ୍ ପ୍ରକାଶ ପରେ ଛାତ୍ରଛାତ୍ରୀମାନେ ନିଜ ମାର୍କ ସହ କଟ୍-ଅଫ୍ ତୁଳନା କରି ନାମଲେଖା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ଚୟନ ହୋଇଥିବା ପ୍ରାର୍ଥୀମାନେ ଆବଶ୍ୟକ କାଗଜପତ୍ର ସହ ନାମଲେଖା ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦିଆଯାଇଛି ।




