୨୦୨୭ ସୁଦ୍ଧା ପ୍ରତି ଗାଁ କୁ ଯୋଗାଇ ଦିଆଯିବ ପାଇପ ପାଣି - ମୁଖ୍ୟମନ୍ତ୍ରୀ

୨୦୨୭ ସୁଦ୍ଧା ପ୍ରତି ଗାଁ କୁ ଯୋଗାଇ ଦିଆଯିବ ପାଇପ ପାଣି - ମୁଖ୍ୟମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗ୍ରାମକୁ ପାଇପ୍‌ ଜଳ ଯୋଗାଣ ସୁବିଧା କରାଯିବ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭ‍ବନ ଠାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗ୍ରାମୀଣ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ନିର୍ଦ୍ଦେଶ ଦେଇଛନ୍ତି ।  ଏହାକୁ ମିଶନ୍‌ ମୋଡ୍‌ରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗକୁ ପରାମର୍ଶ ଦେଇଛନ୍ତି । ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ଗୁରୁତ୍ୱାରୋପ କରିଥିଲେ ।

ରାଜ୍ୟର ବର୍ତ୍ତମାନ ୪୬, ୫୩୧ ଟି ଗ୍ରାମ ମଧ୍ୟରୁ ୨୧, ୭୨୧ ଟି ଗ୍ରାମରେ ପାଇପ ଜଳ ଯୋଗାଣ ବ୍ୟବସ୍ଥା ଉପଲବ୍‌ଧ ଅଛି । ଏହା ସହିତ ସୌରଶକ୍ତି, ମେଗା ପାନୀୟ ଜଳ ପ୍ରକଳ୍ପ ଆଦି ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ନିର୍ମାଣାଧୀନ ଅଛି । ସମସ୍ତ ପ୍ରକଳ୍ପ ଗୁଡ଼ିକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରି ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ  ଧାର୍ଯ୍ୟ କରିଛନ୍ତି ।  

୨୦୧୭ରୁ ୧୨ ଜୁନ ୨୦୨୪ ମଧ୍ୟରେ ରାଜ୍ୟରେ ୩ଟି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଜୁନ ୨୦୨୪ରୁ ବର୍ତ୍ତମାନ ସୁଦ୍ଧା ୨୩ଟି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । 

ସେହିଭଳି, ଜୁନ ୨୦୨୪ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥାତ୍ ମାତ୍ର ୨୦ ମାସ ମଧ୍ୟରେ ରାଜ୍ୟରେ ୨, ୯୫୧ଟି ଏକକ ଗ୍ରାମ ପ୍ରକଳ୍ପ (Single Village Project), ୨, ୭୦୨ଟି ସୌର ଶକ୍ତି ପାନୀୟ ଜଳ ପ୍ରକଳ୍ପ, ଏବଂ ୨୬, ୧୩୭ଟି ନଳକୂପ ସ୍ଥାପିତ ହୋଇଛି ।

 

 

  

Tags: