ଆରମ୍ଭ ହେଲା ପାର୍ବଣ ଋତୁ , ଧରାବତରଣ କଲେ ଗଜାନନ
ଭୁବନେଶ୍ୱର : ଆଜି ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀ । ଧରାବତରଣ କରିଛନ୍ତି ଅଗ୍ରପୂଜ୍ୟ ଗଜାନନ । ଗୌରୀ ନନ୍ଦନଙ୍କ ଆବାହନ ନିମନ୍ତେ ଚଳଚଞ୍ଚଳ ପୁର ପଲ୍ଲୀ । ଆଜିଠାରୁ ପାର୍ବଣ ଋତୁ ଆରମ୍ଭ ହେଉଥିବାରୁ ସବୁଠି ଦେଖା ବିଦେଇଛି ଉତ୍ସବର ମାହୋଲ । ଶ୍ରଦ୍ଧା, ଭକ୍ତି ଓ ଆନନ୍ଦଉଲ୍ଲାସର ସହ ପାଳିତ ହେଉଛି ବିଘ୍ନବିନାଶକ ଶ୍ରୀ ଗଣେଶଙ୍କ ପବିତ୍ର ପୂଜାତ୍ସବ। ଶିକ୍ଷାନୁଷ୍ଠାନ ସହ ଘରେ ଘରେ ନିଷ୍ଠାର ସହ ଗଣପତିଙ୍କ ଆବାହନ ସହ ପୂଜାର୍ଚ୍ଚନା ହେଉଛି ।
ବିଦ୍ୟାର ଦେବତା ଆଦିଦେବ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶ। ପ୍ରତ୍ୟେକ ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଭୁ ଗଣେଶଙ୍କୁ ପ୍ରଥମେ ପୂଜା କରାଯାଉଥିବାରୁ ତାଙ୍କୁ 'ଅଗ୍ରପୂଜ୍ୟ' ଓ 'ବିଘ୍ନବିନାଶକ' ବୋଲି କୁହାଯାଏ। ବୁଦ୍ଧି, ସିଦ୍ଧି ଓ ଜ୍ଞାନର ଦେବତା ଶ୍ରୀଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ଏହି ପୂଜା କରାଯାଉଛି । ଗାଁଠୁ ସହର-ପ୍ରତି ପ୍ରମୁଖ ଛକ ଓ ସାର୍ବଜନୀନ ମଣ୍ଡପଗୁଡ଼ିକରେ ବିରାଟକାୟ ଗଣପତି ମୂର୍ତ୍ତି ସ୍ଥାପନ କରାଯାଇଛି । ଆକର୍ଷଣୀୟ ତୋରଣ, ଆଲୋକମାଳା ଓ ବୈଦିକ ମନ୍ତ୍ରୋଚ୍ଚାରଣରେ ପରିବେଶ ଭକ୍ତିମୟ ହୋଇପଡ଼ିଛି । ଷୋଡ଼ଶୋପଚାର ପୂଜା, ଆରତି ଓ ପ୍ରସାଦ ସେବନର ବିଶେଷ ବ୍ୟବସ୍ଥା କରାଯାଇଛି। ପ୍ରଭୁ ଗଣେଶଙ୍କ ପ୍ରିୟ ଖାଦ୍ୟ 'ଲଡୁ' ଓ 'ମୋଦକ' ଭୋଗ ଲଗାଇବା ପାଇଁ ମଣ୍ଡପଗୁଡ଼ିକରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି ।
ଗଣେଶ ପୂଜା ସହ ଛାତ୍ରଛାତ୍ରୀଙ୍କ ଏକ ନିଆରା ସମ୍ପର୍କ ରହିଛି । ସକାଳୁ ସକାଳୁ ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆରମ୍ଭ ହୋଇଯାଇଛି ପୂଜା ପ୍ରସ୍ତୁତି । ନୂଆ ପୋଷାକ ପିନ୍ଧି ଛାତ୍ରଛାତ୍ରୀ ପୂଜାରେ ସାମିଲ ହୋଇଛନ୍ତି ।
ବହି, ଖାତା ଓ କଲମ ଗଣେଶଙ୍କ ନିକଟରେ ରଖି ବିଦ୍ୟା ଓ ବୁଦ୍ଧି ପାଇଁ ଆଶୀର୍ବାଦ ଭିକ୍ଷା କରିବେ ଛାତ୍ରଛାତ୍ରୀ । ପୂଜା ସହ ଓଡ଼ିଆ ଘରର ପାରମ୍ପରିକ ପ୍ରସାଦର ମଧ୍ୟ ରହିଛି ଅଲଗା ଆକର୍ଷଣ । ଚୂଡ଼ାଘସା, ଖଇ, ନଡ଼ିଆ, କଦଳୀ ଓ ବୁନ୍ଦିଆ ଲଡୁ ପ୍ରସାଦରେ ଗଣେଶ ପୂଜାର ସ୍ମୃତି ଅନେକଙ୍କ ପାଇଁ ପିଲାଦିନ ସହ ଯୋଡ଼ି ହୋଇରହିଛି । ଓଡ଼ିଶାର ଗଣେଶ ପୂଜା ମାନଚିତ୍ରରେ ଜଟଣୀର ସ୍ଥାନ ସ୍ୱତନ୍ତ୍ର । ଏଠାରେ ବର୍ଷ ବର୍ଷ ଧରି ବଡ଼ ଆକାରରେ ସାର୍ବଜନୀନ ଗଣେଶ ପୂଜା ଆୟୋଜିତ ହୋଇଆସୁଛି ।
ବିଶାଳ ତୋରଣ, ଆକର୍ଷଣୀୟ ପଣ୍ଡାଲ, ଆଲୋକସଜ୍ଜା ଓ ମେଳା ପାଇଁ ଜଟଣୀର ଗଣେଶୋତ୍ସବ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଆକର୍ଷିତ କରେ ।
ବିଶେଷ କରି ରାଜଧାନୀ ଭୁବନେଶ୍ବର, ଜଟଣୀ ଓ ତାଳଚେରେ ଧୁମଧାମରେ ପୂଜା କରାଯାଉଛି । କେଉଁଠି ସୁଉଚ୍ଚ ତୋରଣ ଆଉ କେଉଁଠି ଗଜାନନଙ୍କ ବିଶାଳ ମୂର୍ତ୍ତି ଶୋଭା ପାଉଛନ୍ତି । ଗଣେଶ ପୂଜା କେବଳ ଏକ ଧାର୍ମିକ ପର୍ବ ନୁହେଁ, ଏହା ସମାଜରେ ଭାଇଚାରା, ଏକତା ଓ ସଦ୍ ଭାବନା ସୃଷ୍ଟି କରେ। ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଲୋକମାନେ ଏକାଠି ହୋଇ ଏହି ଉତ୍ସବକୁ ଆନନ୍ଦର ସହ ପାଳନ କରନ୍ତି।




