ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନ କିଣା
ଓଡ଼ିଶାରୁ ୬ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇବ କେନ୍ଦ୍ର
ଭୁବନେଶ୍ୱର : ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଚାଲିବ ଧାନ କିଣା । ଏନେଇ ଆଜି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି । ଏପର୍ଯ୍ୟଡ଼୍ତ ୧୦ଲକ୍ଷ ୫୦ହଜାର ମେଟ୍ରିକ ଟନ୍ ଧାନ କିଣା ହୋଇଥିବା ବେଳେ ୨ଲକ୍ଷ ୩୦ହଜାର ଚାଷୀ ଧାନ ବିକିଛନ୍ତି । ୧୮ଜିଲାରେ ଚାଲିଛି ଧାନ କିଣା, ୧୧ଲକ୍ଷ ଚାଷୀଙ୍କୁ ଟୋକନ ଦିଆଯାଇଛି । ଏହାସହିତ ଚାଷୀଙ୍କ ଆକାଉଣ୍ଟକୁ ୨୩୫୦କୋଟି ଟଙ୍କା ଯାଇଛି । ସବୁ ଚାଷୀଙ୍କ ଧାନ କିଣିବୁ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।
ସେହିପରି ଓଡ଼ିଶାରୁ ୬ଲକ୍ଷ ମେଟ୍ରିକ ଟନ୍ ଚାଉଳ କେନ୍ଦ୍ର ଉଠାଇବ, ସେଥିରୁ ୫ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା, ଲକ୍ଷେ ମେଟ୍ରିକ ଟନ ଅରୁଆ ଉଠାଇବ କେନ୍ଦ୍ର ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟରେ ମୋଟ ୭ଲକ୍ଷ ମେଟ୍ରିକ୍ ଟନ ଚାଉଳ ଅଛି । ବାକି ୧ଲକ୍ଷ ମେଟ୍ରିକ୍ ଟନ ଚାଉଳ ନିଲାମ କରାଯିବ । ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସୂଚନାନୁସାରେ,ଗତ ଅଗଷ୍ଟ ୪ ତାରିଖରେ ଓଡ଼ିଶାରେ ଖରିଫ ଋତୁ ଓ ରବି ଋତୁ ପାଇଁ ଏଫସିଆଇ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଅଧିକ ଉଷୁନା ଧାନ କିଣିବା ସହ ଚାଉଳର ଶୀଘ୍ର ଉଠାଣ ପାଇଁ ଧର୍ମେନ୍ଦ୍ର କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଏହା ପରେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଉଷୁନା ଚାଉଳ ଓଡ଼ିଶାରୁ କିଣିବାକୁ ନିଷ୍ପତ୍ତି ନେଇଥିଲା ।



