ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପ୍ରବାଦ ପୁରୁଷ ଅନନ୍ୟ ରାଜନେତା ବିଜୁ ପଟ୍ଟନାୟକଙ୍କ ଆଜି ୨୯ତମ ଶ୍ରଦ୍ଧା ଦିବସ । ସାରା ରାଜ୍ୟ ଆଜି ପ୍ରବାଦ ପୁରୁଷଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଏହି ଅବସରରେ ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର । ବିଜୁ ବାବୁ ଜଣେ ସ୍ୱାଧୀନତା ସଂଗ୍ରାମୀ, ଶିଳ୍ପପତି, ଓଡିଶାକୁ ଭଲ ପାଉଥିବା ରାଜନେତା । ଓଡିଶା ମାଟିର ଗୌରବ ଏବଂ ଦେଶର ସମ୍ମାନ ପାଇଁ ସେ ସର୍ବଦା ଲଢେଇ କରୁଥିଲେ ।
ଓଡ଼ିଶାର ସ୍ୱାଭିମାନ ଏବଂ ସମ୍ମାନ ପାଇଁ ସେ କେବେ ସାଲିସ କରିନଥିଲେ । ଓଡିଶାକୁ ସମୃଦ୍ଧ କରିବାକୁ ସ୍ବପ୍ନ ଦେଖିଥିଲେ ବିଜୁ ପଟ୍ଟନାୟକ । ବିଜୁ ପଟ୍ଟନାୟକ ସଂକଳ୍ପ ଏବଂ ସ୍ବପ୍ନକୁ ନେଇ ଆମ ସରକାର ମଧ୍ୟ ସମୃଦ୍ଧ ଓଡିଶା ଗଠନ କରିବାକୁ କାର୍ଯ୍ୟ କରୁଛି । ଓଡିଶା ଅସ୍ମିତାକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ବିଜୁ ବାବୁ ଙ୍କର ଯେଉଁ ସ୍ବପ୍ନ ଅଧୁରା ରହିଯାଇଛି, ସେହି ସପ୍ନକୁ ପୁରା କରିବାକୁ ଆମ ସରକାର ସଂକଳ୍ପ ନେଇଛନ୍ତି । ଆଗାମୀ ଦିନରେ ଓଡ଼ିଆ ସ୍ୱାଭିମାନ ବିଶ୍ୱ ଦରବାରରେ ପହଂଚିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।



