ଜାନୁଆରୀ ୨୦ ରେ ହେବ ଓଏସଏସଟିଇଟି ପରୀକ୍ଷା
କଟକ : ଆସନ୍ତା ଜାନୁଆରୀ ୨୦ ତାରିଖରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET) ଅନୁଷ୍ଠିତ ହେବ। ଏନେଇ ଶନିବାର ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପରୀକ୍ଷାର୍ଥୀ ମାନେ ଆଜିଠାରୁ ଆସନ୍ତା ୧୭ ତାରିଖ ଯାଏ ଆବେଦନ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ଆଡମିଟ୍ କାର୍ଡ ଜାନୁଆରୀ ୧୦ ତାରିଖରେ ବୋର୍ଡ ୱେବସାଇଟରୁ ପାଇପାରିବେ ବୋଲି ସୂଚନା ଦିଆଯାଇଛି ।
ଓଏସଏସଟିଇଟି ଦୁଇଟି ପେପରରେ ହେବ । ପ୍ରଥମ ପେପର ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ଵିତୀୟ ପେପର ପରୀକ୍ଷା ଅପରାହ୍ନ ୨ଟାରୁ ୪ଟା ଯାଏ ଚାଲିବ ବୋଲି ବୋର୍ଡ ପକ୍ଷରୁ ସମୟ ନିର୍ଘଣ୍ଟ ଜାରି କରାଯାଇଛି । ପରୀକ୍ଷା ସ୍ୱଚ୍ଛତା ଏବଂ ନିରପେକ୍ଷତା ପାଇଁ ନିୟମ କଡାକଡି ହେବ। ପ୍ରାର୍ଥୀମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନ ପୂରଣ କରିବାକୁ ଏବଂ ଉଭୟ ପେପର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିବାକୁ ପରାମର୍ଶ ଦେଇଛନ୍ତି ।
ପରୀକ୍ଷା କେନ୍ଦ୍ର, ନିର୍ଦ୍ଦେଶାବଳୀ ଏବଂ ଫଳାଫଳ ସମ୍ପର୍କରେ ଅପଡେଟ୍ ପାଇଁ ନିୟମିତ ଭାବରେ ବିଏସଇ ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି ।


