ଓରାଙ୍ଗଉଟାନଙ୍କୁ ଦିଆଯିବ ମ୍ୟୁଜିକ ଥେରାପି
ଭୁବନେଶ୍ଵର : ଆଜି ହେବ ନାହିଁ ଓରାଙ୍ଗଉଟାନଙ୍କ ନମୁନା ସଂଗ୍ରହ । ଚାପ ଗ୍ରସ୍ତ ଯୋଗୁଁ ସ୍ଥଗିତ ରହିଲା ନମୁନା ସଂଗ୍ରହ । ମନା କଲା ସେଣ୍ଟର ଅଫ ୱାଇଲଡ ଲାଇଫ ହେଲଥ କମିଟି । ଓରାଙ୍ଗଉଟାନ ଛୁଆ ଗୁଡିକୁ ମା' ପାଖରୁ ଅଲଗା ହେବା ପରେ ଭୟଭୀତ ଅଛନ୍ତି । ଏପରିକି ଜଣକୁ ସାମାନ୍ୟ ଜ୍ୱର ରହିଥିବା ସୂଚନା ମିଳିଛି । ଷ୍ଟ୍ରେସ ଫ୍ରି ହେଲେ ୧୦ ଦିନ ପରେ ନମୁନା ସଂଗ୍ରହ କରାଯିବ । ଚାପ କମାଇବା ପାଇଁ ଓରାଙ୍ଗଉଟାନଙ୍କୁ ଦିଆଯିବ ମ୍ୟୁଜିକ ଥେରାପି । ନନ୍ଦନକାନନ ଉପ ନିର୍ଦେଶକ ସୂଚନା ଦେଇଛନ୍ତି । ନନ୍ଦନକାନରେ ଥିବା ଓରାଙ୍ଗଉଟାନ ଛୁଆ ଗୁଡିକୁ ଭିସି ରେ ଦେଖିବେ ମହୀଶୂର ଚିଡ଼ିଆଖାନାର ବିଶେଷଜ୍ଞନ ଦଳ । ଓରାଙ୍ଗଉଟାନ ଦେହରେ କୃମି ଥିବା ଜଣାପଡ଼ିଛି ।
ସୂଚନାନୁସାରେ, ଭୋଗରାଇରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କର ଆଜି ରକ୍ତ ନମୁନା, ଡିଏନଏ ନମୁନା ସଂଗ୍ରହ କରାଯାଇଥାନ୍ତା । ଓୟୁଏଟି ଅଧୀନରେ ଥିବା ସେଣ୍ଟର ଫର ୱାଇଲ୍ଡ ଲାଇଫ ହେଲ୍ଥ କମିଟିର ପରାମର୍ଶରେ ନମୁନା ସଂଗ୍ରହ କରାଯାଇ ଲ୍ୟାବକୁ ପଠାଯିବ। ଓରାଙ୍ଗଉଟାନଙ୍କ ଦେହରେ କିଛି ସଂକ୍ରମଣ ଅଛି ନା ନାହିଁ, ସେମାନେ ଗୋଟିଏ ମା'ର ଛୁଆ କି ନୁହେଁ, ସେମାନଙ୍କ ପ୍ରକୃତ ବୟସ ଏବଂ କେଉଁ ପ୍ରଜାତିର ଜଣାପଡିବ ।
ସେପଟେ, ଉଦ୍ଧାର ହୋଇଥିବା ୫ଟିଯାକ ଶାବକ ଓରାଙ୍ଗ୍ଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇ ଏସି କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ସେମାନଙ୍କ ମଧ୍ୟରେ ୩ଟି ଅଣ୍ଡିରା ଓ ୨ଟି ମାଈ। ସେମାନଙ୍କ ବୟସ ୬ ମାସରୁ ୧ ବର୍ଷ ମଧ୍ୟରେ ହୋଇଥିବାବେଳେ ଉଚ୍ଚତା ପ୍ରାୟ ୧ରୁ ୧.୫ ଫୁଟ। ବିଶେଷଜ୍ଞ ପ୍ରାଣୀ ଚିକିତ୍ସକ ଦଳ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି ଏବଂ ଗୋଟିଏ ଓରାଙ୍ଗ୍ଉଟାନ ଟିକେ ଅସୁସ୍ଥ ଅଛି। କ୍ୱାରେଣ୍ଟାଇନ୍ରେ ଓରାଙ୍ଗ୍ଉଟାନ ପ୍ରାୟ ୨୧ରୁ ୩୦ ଦିନ ପର୍ଯ୍ୟନ୍ତ ରହିବେ। ସେଥିପାଇଁ କଠୋର ଜୈବ ସୁରକ୍ଷା, ପରିମଳ ଓ ସ୍ବଚ୍ଛତା ନିୟମାବଳୀ ପାଳନ ସହିତ ଉପଯୁକ୍ତ ବ୍ୟକ୍ତିଗତ ସୁରକ୍ଷା ଉପକରଣ ବ୍ୟବହାର କରାଯାଉଛି ବୋଲି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି।




