ଡିସେମ୍ବର ୮ ତାରିଖ ଯାଏଁ କ୍ୱାରେଣ୍ଟାଇନ୍ରେ ରହିବେ ଓରାଙ୍ଗଉଟାନ୍ ଛୁଆ
ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହିବେ ବାଲେଶ୍ବରରୁ ଉଦ୍ଧାର ୫ ଓରାଙ୍ଗଉଟାନ୍ ଛୁଆ । ଏହି ପାଞ୍ଚଟି ଓରାଙ୍ଗଉଟାନ୍ ଛୁଆଙ୍କୁ ଏବେ ଦେଖିବାକୁ ପାଇବେନି ପର୍ଯ୍ୟଟକ। ଆସନ୍ତା ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ସେମାନେ ୯୦ ଦିନିଆ କ୍ୱାରେଣ୍ଟାଇନ୍ରେ ରହିବେ । କ୍ୱାରେଣ୍ଟାଇନ୍ ପରେ ଓରାଙ୍ଗଉଟାନ୍ଙ୍କ ବଦଳିବ ଖୁଆଡ । ଦିନରେ ବାହାର ତାରଜାଲି ଖୁଆଡ଼, ରାତିରେ ଆବଦ୍ଧ କୋଠରୀରେ ରହିବେ ଉଦ୍ଧାର ଓରାଙ୍ଗଉଟାନ୍ । ଡିସେମ୍ବର ୮ ତାରିଖରେ ସରିବ ଓରାଙ୍ଗଉଟାନ୍ଙ୍କ କ୍ୱାରେଣ୍ଟାଇନ୍ ଅବଧି । ସେମାନଙ୍କ ସ୍ୱାସ୍ଥ୍ୟ ଓ ନୂଆ ପରିବେଶ ସହ ଖାପ ଖୁଆଇବା ପ୍ରକ୍ରିୟାକୁ ଗୁରୁତ୍ୱ ଦେଇ ଚିଡ଼ିଆଖାନା କର୍ତ୍ତୃପକ୍ଷ ଏହି ବ୍ୟବସ୍ଥା କରିଛନ୍ତି ।
ସୂଚନା ଅନୁସାରେ, ୨୦୨୬ ସେପ୍ଟେମ୍ବର ୮ ତାରିଖରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ର ବିଚିତ୍ରପୁର ଅଞ୍ଚଳର ରାଣକଥା ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଏହି ୫ଟି ଓରାଙ୍ଗଉଟାନ୍କୁ ଉଦ୍ଧାର କରିଥିଲା। ସେହିଦିନ ରାତି ପ୍ରାୟ ୧୦ଟା ୩୦ ମିନିଟ୍ରେ ସେମାନଙ୍କୁ ନନ୍ଦନକାନନ ଅଣାଯାଇଥିଲା ।
ନନ୍ଦନକାନନରେ ପହଞ୍ଚିବା ପରେ ସମସ୍ତ ଓରାଙ୍ଗଉଟାନ୍ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏବେ ସେମାନଙ୍କୁ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସା ବିଭାଗ ଅଧୀନରେ ଥିବା ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯାଇଛି । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନିୟମିତ ନଜର ରଖାଯାଉଛି । ଦିନରେ ଖୋଲା ଆକାଶ ତଳେ, ରାତିରେ ଇନଡୋର ରୁମ୍ରେ ରଖାଯାଉଛି ।
ନନ୍ଦନକାନନ ଉପ-ନିର୍ଦ୍ଦେଶକ ପ୍ରଦୀପ ମିରାସେ କହିଛନ୍ତି, ଓରାଙ୍ଗଉଟାନ୍ ଛୁଆଗୁଡି଼କ ପୁଷ୍ଟିହୀନତା ଏବଂ ରକ୍ତହୀନତାରୁ ସୁସ୍ଥ ହୋଇସାରିଛନ୍ତି । ଗୋଟିଏ ଛୁଆ ଶରୀରରେ ଗମ୍ଭୀର ରକ୍ତହୀନତା (୪ ଗ୍ରାମ/ଡିଏଲ) ରେ ପୀଡ଼ିତ ଥିଲା । ଅନ୍ୟ ଦୁଇଟି ଛୁଆ ହିମୋଗ୍ଲୋବିନ୍ ପରିମାଣ ସାମାନ୍ୟ କମ ଥିଲା । ବର୍ତ୍ତମାନ କୌଣସି ଓରାଙ୍ଗଉଟାନ୍ ଛୁଆଙ୍କ ଶରୀରରେ ହିମୋଗ୍ଲୋବିନ୍ର ଅଭାବ ନାହିଁ । ହିମୋଗ୍ଲୋବିନ୍ ୧୧ ଗ୍ରାମ/ଡିଏଲ୍ରେ ପହଞ୍ଚିଛି । ସେମାନଙ୍କର ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ଶାରୀରିକ ବିକାଶ ମଧ୍ୟ ବର୍ତ୍ତମାନ ସ୍ୱାଭାବିକ ରହିଛି ।
୯୦ ଦିନିଆ କ୍ୱାରେଣ୍ଟାଇନ୍ ଅବଧି ଶେଷ ହେବା ପରେ ଓରାଙ୍ଗଉଟାନ୍ମାନଙ୍କୁ ଖୋଲା ଏନକ୍ଲୋଜରକୁ ସ୍ଥାନାନ୍ତର କରାଯିବ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (PCCF)ଙ୍କ ଦ୍ୱାରା ଗଠିତ ସ୍ୱାସ୍ଥ୍ୟ ମୂଲ୍ୟାଙ୍କନ ଟିମ୍ର ସୁପାରିସ ଅନୁଯାୟୀ ଏହି ପଦକ୍ଷେପ ନିଆଯିବ।
ଖୋଲା ଏନକ୍ଲୋଜରକୁ ସ୍ଥାନାନ୍ତର ହେଲେ ମଧ୍ୟ ପର୍ଯ୍ୟଟକଙ୍କୁ ସଙ୍ଗେ ସଙ୍ଗେ ସେମାନଙ୍କୁ ଦେଖିବାର ସୁଯୋଗ ମିଳିବ ନାହିଁ। କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ (Central Zoo Authority)ଙ୍କ ଅନୁମତି ମିଳିବା ପରେ ହିଁ ସେମାନଙ୍କୁ ସାଧାରଣ ପର୍ଯ୍ୟଟକଙ୍କ ଦର୍ଶନ ପାଇଁ ଛଡ଼ାଯିବ।
ତେଣୁ ନନ୍ଦନକାନନର ଏହି ୫ ନୂଆ ଅତିଥିଙ୍କୁ ଦେଖିବା ପାଇଁ ପର୍ଯ୍ୟଟକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ । ପ୍ରଥମେ ସେମାନଙ୍କ ସୁସ୍ଥତା ଓ ନୂଆ ପରିବେଶ ସହ ଖାପ ଖୁଆଇବାକୁ ପ୍ରାଥମିକତା ଦେଉଛନ୍ତି କର୍ତ୍ତୃପକ୍ଷ ।




