ଆଜି ପାଇଁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର : ଆସନ୍ତା ୧୦ ତାରିଖ ଯାଏ ରହିବ କାଳବୈଶାଖୀ ପ୍ରଭାବ । ସପ୍ତାହେ ପର୍ଯ୍ୟନ୍ତ ବିଶେଷ ଗରମ ଅନୁଭୂତ ହେବନାହିଁ । ଏପ୍ରିଲ ମାସ ସାରା ପାଗ ଏହି ଭଳି ରହିବ । ଆଜି ବିଜୁଳି ଘଡ଼ଘଡ଼ି ପାଇଁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଝଟକା ବର୍ଷା ପବନ ସହ କୁଆ ପଥର ବର୍ଷାହେବାର ସମ୍ଭାବନା ରହିଛି । ଏଥିସହ ବିଜୁଳି ଘଡ଼ଘଡ଼ି ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ଏହାବାଦ୍ ରାଜ୍ୟର ବିଭିନ୍ନ ଜିଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ ବୋଲି ସୂଚନା ଦିଆଯାଇଛି।
୧୦ ତାରିଖ ଯାଏ କାଳବୈଶାଖୀ ଆଶଙ୍କା ରହିଛି । ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ସମ୍ଭାବନା ରହିଛି । ଏପ୍ରିଲରେ ବର୍ଷା ସ୍ୱାଭାବିକ ଠାରୁ ଅଧିକ ରହିବାକୁ ଥିବାବେଳେ ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ କମ ରହିପାରେ । ମେ’ ରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବାକୁ ଥିବାବେଳେ କମ ବର୍ଷା ସମ୍ଭାବନା ରହିଛି ।
ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ଉଚ୍ଚରେ ଆଉ ଏକ ଘୂର୍ଣ୍ଣିବଳୟ ଜାରି ରହିଛି। ଏହା ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ଜାରି ରହିଛି । ଆଗାମୀ ୪ ଦିନ ଅର୍ଥାତ୍ ଏପ୍ରିଲ ୧୦ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



