ଆଜି ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର : ଚଳିତ ବର୍ଷ ରଜ ଦୁଇ ଦିନ ପୂର୍ବରୁ ରାଜ୍ୟକୁ ପ୍ରବେଶ କରିଛି ମୌସୁମୀ । ଏହା ପ୍ରଭାବରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେଉଛି । ଫଳରେ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ଗ୍ରୀଷ୍ମପ୍ରବାହ କମିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ ଗୁଳୁଗୁଳି ଲାଗି ରହିଛି । ୨୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ପାଇଁ ପାଣିପାଗ ବିଭାଗ ସର୍କତା ଜାରି କରିଛି । ସାଧାରଣତଃ ଅପରାହ୍ନ ବେଳକୁ ବର୍ଷା ଓ ପବନର ବେଗ ଅଧିକ ରହିବାର ସମ୍ଭାବନା ରହିଛି । କିନ୍ତୁ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବୋଚ୍ଚ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ୨୧ ତାରିଖ ବେଳକୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ।
ଆଗାମୀ ୪ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ଆଉ କିଛି ଅଂଶକୁ ଛୁଇଁବ । ବର୍ତ୍ତମାନ ଏହା ପାରାଦ୍ବୀପ, ବାରିପଦା, ହର୍ଣ୍ଣାଇ, ସୋଲାପୁର, ହାଇଦ୍ରାବାଦ, ଭଦ୍ରାଦ୍ରି, କୋଠାଗୁଡେମ୍, କଳିଙ୍ଗପଟନମ୍, ପୁରୁଲିଆ, ଧାନବାଦ, ମୁଜାଫରପୁର ଦେଇ ଅତିକ୍ରମ କରୁଛି । ଆଗାମୀ 4-5 ଦିନ ମଧ୍ୟରେ ମୌସୁମୀ ଓଡ଼ିଶାର କିଛି ଅଂଶ, କର୍ଣ୍ଣାଟକର ଅବଶିଷ୍ଟ ଅଂଶ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଦକ୍ଷିଣ ଛତିଶଗଡ଼ର କିଛି ଅଂଶକୁ ଆଗକୁ ବଢ଼ିବା ପାଇଁ ପରିସ୍ଥିତି ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସେହିପରି ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜିପାଇଁ ୭ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ଓ ଘଣ୍ଟାପ୍ରତି ପବନର ବେଗ ୫୦-୬୦ କିମି ବହିବ । ସେହିପରି ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ବାଦ୍ ଦେଇ ଅନ୍ୟସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସେପଟେ ଆଜି ରାଜଧାନୀ ଓ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଆଂଶିକ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ରହିଛି । କିନ୍ତୁ ବାୟୁମଣ୍ଡଳରେ ଆଦ୍ରତା ଅଧିକ ଯୋଗୁ ଗୁଳୁଗୁଳି ହେଉଛି । ଉପକୂଳରେ ଆଶ୍ବସ୍ତି ମିଳିଥିବାବାେଳେ ପଶ୍ଚିମ ଓଡ଼ିଶାରେ ପାରଦ ଉପରମୁହାଁ ରହିଛି । ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୪୩ .୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଭବାନୀପାଟଣାରେ ୪୧ ଡିଗ୍ରୀ, ବଲାଙ୍ଗିରରେ ୪୦. ୬ ଏବଂ ଝାରସୁଗୁଡ଼ାରେ ୪୦. ୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଫୁଲବାଣୀରେ ସର୍ବନିମ୍ନ ୨୨. ୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।




