୩ୟ ଦିନରେ ଅନଲାଇନ୍ ଯାତ୍ରୀ ପରିବହନ ସଂଘର ଆନ୍ଦୋଳନ
ବିମାନ ବନ୍ଦରରୁ ପିସିଆର ଭ୍ୟାନ୍ ରେ ଡାକ୍ତରଖାନା ଗଲେ ଯାତ୍ରୀ
ଭୁବନେଶ୍ୱର : ନିଜ ଜିଦ ରେ ଅଟଳ ରହିଛନ୍ତି ଅନଲାଇନ୍ ପରିବହନ ସଂଘ । ବିଭିନ୍ନ ଦାବି ନେଇ 3 ଦିନ ଧରି ଭୁବନେଶ୍ୱର ଲୋୟର ପିଏମଜି ଠାରେ ଧାରଣାରେ ବସିଛନ୍ତି ଅନଲାଇନ୍ ଗାଡି ଚାଳକ । ଫଳରେ ନାହିଁ ନଥିବା ହିନସ୍ଥା ହେଉଛନ୍ତି ଅନ୍ଲାଇନ୍ରୁ ଗାଡି ଉପରେ ନିର୍ଭର କରୁଥିବା ଯାତ୍ରୀ । ବିଶେଷକରି ରେଳ ଷ୍ଟେସନ୍, ବିମାନବନ୍ଦର ଓ ଅନ୍ୟ ପ୍ରମୁଖ ସ୍ଥାନକୁ ଯିବା ପାଇଁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ୩୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅନଲାଇନ୍ ଅଟୋ ଚାଳକ । ଓଲା, ଉବର, ରାପିଡୋ ସମେତ ପ୍ରାୟ ୨୦ଟି ଅଟୋ ସଂଗଠନ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଅଟୋ ଚାଳକଙ୍କ ବିଭିନ୍ନ ସମସ୍ୟାର ସମାଧାନ, ଭଡ଼ା ଓ କମିଶନ୍ ସମ୍ବନ୍ଧୀୟ ଦାବି ସହ ଅନ୍ୟାନ୍ୟ ଦାବି ପୂରଣ ପାଇଁ ସଂଘ ପକ୍ଷରୁ ଦାବି କରାଯାଉଛି । ସମସ୍ୟାର ସମାଧାନ ପାଇଁ ପରିବହନ ମନ୍ତ୍ରୀଙ୍କ ସହ ସଂଘର ଆଲୋଚନା ହୋଇଥିଲା ।
ହେଲେ ଆଲୋଚନାରୁ କୌଣସି ସୁଫଳ ମିଳିନଥିବାରୁ ଆନ୍ଦୋଳନ ଜାରି ରଖିବାକୁ ସଂଘ ନିଷ୍ପତ୍ତି ନେଇଛି । ଆଜି ଲୋୟର ପିଏମଜିରେ ବଡ଼ ଧରଣର ପ୍ରତିବାଦ କରିବାକୁ ଡାକରା ଦେଇଛି ସଂଘ । ହଜାର ହଜାର ଅଟୋ ଚାଳକ ଏକାଠି ହୋଇ ନିଜ ଦାବି ଉପସ୍ଥାପନ କରୁଛନ୍ତି । ଅନ୍ୟପଟେ ଅଟୋ ଚଳାଚଳ ବନ୍ଦ ଯୋଗୁଁ ସାଧାରଣ ଲୋକେ ହଇରାଣ ହେଉଛନ୍ତି । ବିମାନବନ୍ଦର ଓ ରେଳ ଷ୍ଟେସନରେ ପହଞ୍ଚିବା ପାଇଁ ଯାତ୍ରୀମାନଙ୍କୁ ବିକଳ୍ପ ଯାନବାହନ ଉପରେ ନିର୍ଭର କରିବାକୁ ପଡୁଛି ।
ସେପଟେ, ବିମାନବନ୍ଦରରେ ଓହ୍ଲାଉଥିବା ଯାତ୍ରୀମାନଙ୍କୁ ବିଶେଷ କରି ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତିରେ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପିସିଆର (PCR) ଭ୍ୟାନ୍ ମୁତୟନ କରାଯାଇଛି । ଏହି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ କମିଶନରେଟ୍ ପୋଲିସ ତାର ଅଫିସିଆଲ୍ ଏକ୍ସ (X) ଆକାଉଣ୍ଟରେ ଉଲ୍ଲେଖ କରିଛି ଯେ, ସାଧାରଣ ଜନତାଙ୍କ ସେବା ପାଇଁ ପୋଲିସ ସର୍ବଦା ପ୍ରତିବଦ୍ଧ। ପୋଲିସ ନିଜର ବାର୍ତ୍ତା ଦେଇ କହିଛି: "ଆମେ ଆପଣଙ୍କ ସହିତ ଅଛୁ। ସବୁବେଳେ, ପ୍ରତିଟି ସମୟରେ, ସବୁଠାରେ"। ଏହି ବ୍ୟବସ୍ଥା ଦ୍ୱାରା, ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଥିବା କୌଣସି ଯାତ୍ରୀ ବିମାନବନ୍ଦରରେ ଅଟକି ନରହି ଠିକ୍ ସମୟରେ ଚିକିତ୍ସା ସୁବିଧା ପାଇପାରିବେ। ଆବଶ୍ୟକ ଥିବା ଯାତ୍ରୀମାନେ ସିଧାସଳଖ ପିସିଆର ଗାଡ଼ି ନିକଟକୁ ଯାଇ ସାହାଯ୍ୟ ମାଗିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।




