ଅନଲାଇନ ଗେମ ନେଲା ଜୀବନ
ଭୁବନେଶ୍ୱର : ଅନଲାଇନ ଗେମ ମାୟାରେ ବାୟା ଯୁବ ପିଢ଼ି । ଦିନକୁ ଦିନ ବିଭିନ୍ନ ପ୍ରକାର ଅଘଟଣ ସତ୍ତ୍ୱେ ବାଟକୁ ଆସୁ ନାହାନ୍ତି ଅମାନିଆ। ପୁଣି ଅନଲାଇନ ଗେମ ଖେଳି ଜଣେ ଯୁବକଙ୍କ ଜୀବନ ଯାଇଛି । ପରିବାର ଲୋକଙ୍କ ବାରଣ ସତ୍ତ୍ୱେ ଅନଲାଇନ ଗେମ ରେ ଲକ୍ଷାଧିକ ଟଙ୍କା ହରାଇବା ପରେ ଆତ୍ମହତ୍ୟା କରିଛନ୍ତି ଯୁବକ । ମୃତକ ହେଲେ ମାନସ ବେହେରା । ତାଙ୍କ ଘର ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ଗାଁର ।
ସୂଚନା ଅନୁସାରେ, ମାଛକୁଟା ଗାଁର ବାଲିଆ ବେହେରାଙ୍କ ଏକ ମାତ୍ର ପୁଅ ହେଉଛନ୍ତି ମାନସ ବେହେରା । ସେ ପଢାପଢି ସାରି ଘରେ ରହୁଥିଲେ । କିଛି ଦିନ ପୂର୍ବେ କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ ବାବଦକୁ ବାଲିଆ ବେହେରାଙ୍କୁ କିଛି ଟଙ୍କା ମିଳିଥିଲା । ସେଥିରୁ ସେ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ମାନସଙ୍କ ଆକାଉଣ୍ଟରେ ରଖିଥିଲେ । କିନ୍ତୁ ପ୍ରାୟ ଏକ ମାସ ତଳେ ମାନସ ମୋବାଇଲ୍ରେ ଅନଲାଇନ ଗେମ୍ ଖେଳି ଏହି ଅଢ଼େଇ ଲକ୍ଷ ଟଙ୍କା ହାରି ଯାଇଥିଲେ । ଏହାକୁ ନେଇ ପରିବାରରେ ବଚସା ହୋଇଥିଲା । ଏହି ଘଟଣା ପରେ ମଧ୍ୟ ପରିବାର ଲୋକେ ବାଇକ୍ କିଣିବା ପାଇଁ ମାନସଙ୍କୁ ଆଉ ୩୦ ହଜାର ଟଙ୍କା ଦେଇଥିଲେ । ହେଲେ ସେଥିରୁ ମଧ୍ୟ ସେ ପୁଣି ଗେମ୍ ଖେଳି ୧୦ ହଜାର ଟଙ୍କା ଉଡ଼ାଇ ଦେଇଥିଲେ । ଏହାପରେ ଘର ଲୋକଙ୍କ ସହ ଝଗଡା ପରେ ସେ ଘରୁ ପଳାଇ ଯାଇ ନିକଟସ୍ଥ କାଜୁ ବଗିଚାରେ ଆତ୍ମହତ୍ୟା କରିଥିଲେ । ଅଘଟଣର ଖବର ପାଇ ଛେଣ୍ଡିପଡ଼ା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ।



