ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୧ମୃତ , ୧୫ଆହତ
ଅନୁଗୁଳ/କୋରାପୁଟ/ବାରିପଦା : ଗତ ବିଳମ୍ବିତ ରାତିରେ ୩ଟି ସ୍ଥାନରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା । ଅନୁଗୁଳରେ ଯାତ୍ରୀବାହୀ ବସ ଏବଂ ବାରିପଦାରେ ଏକ ସ୍କର୍ପିଓ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ଜଣ ଆହତ ହୋଇଥିବା ଖବର ମିଳିଛି । ସେହିପରି କୋରାପୁଟରେ ନିୟନ୍ତ୍ରଣ ହରାଇ ଏକ ଟ୍ରକ ଦୁର୍ଘଟଣା ଘଟିଛି । ତେବେ ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡିଛି ।
ସୂଚନାନୁସାରେ, ଗତକାଲି ରାତିରେ ଅନୁଗୁଳ ଜିଲ୍ଲାର ହଣ୍ଡପା ଥାନା ଲୁହାମୁଣ୍ଡା ଫ୍ଲାଏ ଓଭର ଉପରେ ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ‘ଦିଲଖୁସ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଏକ ଟ୍ରକକୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା । ଦୁର୍ଘଟଣା ବେଳେ ବସରେ ପ୍ରାୟ ୨୫ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସସମ୍ତଙ୍କୁ ଉଦ୍ଧାର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହଣ୍ଡପା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସେହିପରି , କୋରାପୁଟରେ ଅଳ୍ପକେ ଟଳିଯାଇଛି ବଡ଼ ଧରଣର ଅଘଟଣ । ବ୍ରେକ୍ ଫେଲ୍ ହୋଇ ଏକ ଜରି ବୋଝେଇ ଆଇଚର୍ ଟ୍ରକ୍ ନିୟନ୍ତ୍ରଣ ହରାଇ ଏଚପି ଗ୍ୟାସ ଏଜେନ୍ସି ପରିସରକୁ ପସିଯାଇଥିଲା । ଦୁର୍ଘଟଣାରେ ରାସ୍ତା କଡ଼ରେ ଥିବା ୮ରୁ ଅଧିକ ବାଇକ୍ କ୍ଷତିଗ୍ରସ୍ତ ହୋଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଥିଲା ଅନେକ ଜୀବନ । କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥରେ ଥିବା ସହର ପ୍ରବେଶ ପଥରେ ଆଜି ଘଟିଥିଲା ଏକ ଭୟାବହ ଦୁର୍ଘଟଣା ।
ସେପଟେ, ମୟୁରଭଞ୍ଜ ଜିଲ୍ଲା ବାରିପଦା ନିକଟ ବେତନଟୀ ଠାରେ ଏକ ସ୍କର୍ପିଓ ଦୁର୍ଘଟଣା ପୁରା ପରିବାର ଆହତ ହୋଇଛନ୍ତି । ସ୍କର୍ପିଓରେ ବିହାରର ଏକ ପରିବାର ପୁରୀ ଯାଉଥିଲେ। ଏହି ସମୟରେ ବେତନଟୀ ଥାନା ଅନ୍ତର୍ଗତ ଛୁରୁଣି ଛକରେ ଟ୍ରକ ପଛକୁ ସ୍କର୍ପିଓ ଧକ୍କାଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡିଟି ସମ୍ପୂର୍ଣ୍ଣ ଚୁରମାର ବେଳେ ପରିବାରର ୫ ଗୁରୁତର ସଦସ୍ୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ୪ ଜଣ ଛୋଟ ପିଲା ଥିବା ସୂଚନା ମିଳିଛି। ଦୁଇ ଜଣଙ୍କ ଅବସ୍ଥା ଅତି ଗୁରୁତର ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଏବଂ ସ୍କର୍ପିଓକୁ ଜବତ୍ କରି ତଦନ୍ତ କରୁଛି।




