କୋଟିଆ ପ୍ରସଙ୍ଗରେ : ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠିକୁ ନେଇ ସୁରେଶ ପୂଜାରୀ ରାଜସ୍ବମନ୍ତ୍ରୀଙ୍କ ସମାଲୋଚନା
ଭୁବନେଶ୍ୱର : କୋଟିଆ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ପାଲଟା ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। କୋଟିଆ ପ୍ରସଙ୍ଗରେ ନବୀନ ଚିଠି ନଲେଖି ଯଦି ପୂର୍ବରୁ କାମ କରିଥାନ୍ତେ ତା’ହେଲେ ଆଜି ଜଳ କି ଜମିବିବାଦ ନଥାନ୍ତା ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଏହା ସହିତ କୋଟିଆରେ ଆନ୍ଧ୍ରର ହଟଚମଟକୁ ରୋକିବା ପାଇଁ ସରକାର ଏବେ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ଓ ଜିଲ୍ଲାପାଳ-ଏସପିଙ୍କୁ ଦୈନିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।ନବୀନଙ୍କ ଚିଠି ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ,ରାଜ୍ୟର ସ୍ୱାର୍ଥ ଓ ସୀମା ସୁରକ୍ଷା ପାଇଁ ଯେଉଁ ଲଢ଼ୁଆ ମନୋବଳ ଓ ଜିତିବାର ଜିଦ୍ ରହିବା କଥା, ସେହି ଅଗ୍ନିସ୍ଫୁଲିଙ୍ଗ ବିଗତ ବିଜେଡି ସରକାରଙ୍କ ପାଖରେ ସମ୍ପୂର୍ଣ୍ଣ ଅଭାବ ଥିଲା। ଛତିଶଗଡ଼ ସହ ଜଳ ବିବାଦ ହେଉ କି ଆନ୍ଧ୍ରପ୍ରଦେଶ ସହ ଜମି ବିବାଦ, ନବୀନବାବୁ କେବଳ ଚିଠି ନଲେଖି ଯଦି ପୂର୍ବରୁ କର୍ମ କରିଥାନ୍ତେ, ତେବେ ଆଜି ଏଭଳି ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା କୋଟିଆର ୨୩ଟି ଗାଁକୁ ନେଇ ଆନ୍ଧ୍ର ସହ ଚାଲିଥିବା ବିବାଦର ଆଇନଗତ ଇତିହାସ ବଖାଣି ସେ କହିଛନ୍ତି ଯେ, ୧୯୬୮ ମସିହାରେ ସୁପ୍ରିମକୋର୍ଟରେ ଦାଏର ହୋଇଥିବା ମୂଳ ମକଦ୍ଦମାରେ ଅଦାଲତ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ୩୮ବର୍ଷ ଧରି ମାମଲା ଚାଲିବା ପରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ରାଜ୍ୟ ସରକାର ୨୦୦୬ମସିହାରେ ସୁପ୍ରିମକୋର୍ଟରେ ଏହି ମକଦ୍ଦମା ହାରିଯାଇଥିଲେ। ପରବର୍ତ୍ତୀ ସମୟରେ ୨୦୦୬ ମସିହାରେ ଦାଏର ହୋଇଥିବା ରିଭ୍ୟୁ ପିଟିସନ ଓ ୨୦୦୭ର କ୍ୟୁରେଟିଭ ପିଟିସନ ମଧ୍ୟ ଖାରଜ ହୋଇଯାଇଥିଲା। ଏହାପରେ ୨୦୨୧ ମସିହାରେ ଆଗତ କୋର୍ଟ ଅବମାନନା ମାମଲା ଏପର୍ଯ୍ୟନ୍ତ ବିଚାରାଧୀନ ରହିଛି। ସେ ଉଭୟ ବିଜେଡି ଓ କଂଗ୍ରେସଙ୍କୁ କଟାକ୍ଷ କରି କହିଛନ୍ତି ଯେ, କେବଳ ଚିଠି ଲେଖି ରାଜନୀତି କରିବା କୌଣସି ଉପଯୁକ୍ତ ରାସ୍ତା ନୁହେଁ । କୋଟିଆ ସମସ୍ୟା କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନୁହେଁ, ବରଂ ଏହା ସମଗ୍ର ଓଡ଼ିଶାର ସ୍ୱାଭିମାନର ପ୍ରସଙ୍ଗ । କାହାକୁ ଅପମାନିତ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ, ତେଣୁ ବିରୋଧୀ ଦଳର ବରିଷ୍ଠ ନେତା ହିସାବରେ ନବୀନବାବୁ ନିଜର ଦୀର୍ଘବର୍ଷର ଅନୁଭବ ଓ ଅନୁଭୂତିକୁ ଓଡ଼ିଶାର ସ୍ୱାର୍ଥରେ ବିନିଯୋଗ କରି ବର୍ତ୍ତମାନର ସରକାରଙ୍କୁ ସକାରାତ୍ମକ ପରାମର୍ଶ ଦିଅନ୍ତୁ।




