ଜାନୁଆରୀ ୩ରେ ଦେବାଭିଷେକ ପୂର୍ଣ୍ଣିମା,ଦୁର୍ଲ୍ଲଭ ସୁନା ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଜାନୁଆରୀ ୩ରେ ଦେବାଭିଷେକ ପୂର୍ଣ୍ଣିମା,ଦୁର୍ଲ୍ଲଭ ସୁନା ବେଶରେ ଦର୍ଶନ ଦେବେ ମହାପ୍ରଭୁ
Samaya Live News Picture
Published On

ପୁରୀ: ଶୁକ୍ରବାର ସନ୍ଧ୍ୟାରେ ପୁରୀରେ ଅନୁଷ୍ଠିତ ହୋଇଯାଇଛି ଗୁରୁତ୍ତ୍ୱପୂର୍ଣ୍ଣ ଛତିଶା ନିଯୋଗ ବୈଠକ I ଏଥିରେ ଚଳିତ ମାସ ୧୬ରୁ ହେବାକୁ ଥିବା ପହିଲି ଭୋଗ ନୀତି,ନୂଆବର୍ଷରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ୩ ତାରିଖରେ ଦେଵାଭିଷେକ ପୂର୍ଣ୍ଣିମାରେ ହେବାକୁଥିବା ସୁନାବେଶ ନୀତିକାନ୍ତିଙ୍କୁ ନେଇ ଆଲୋଚନା ହୋଇଥିଲା I 

ଶ୍ରୀମନ୍ଦିରରେ ଆସନ୍ତା ୧୬ ତାରିଖ ଧନୁସଂକ୍ରାନ୍ତିରୁ ଜାନୁଆରୀ ୧୪ ମକର ସଂକ୍ରାନ୍ତି ଯାଏଁ ମହାପ୍ରଭୁଙ୍କ ଠାରେ ପହିଲି ଭୋଗ ଲାଗି ହେବ । ସ୍ବତନ୍ତ୍ର ପହିଲି ଭୋଗ ନୀତି ସକାଳ ୫ଟା ୩୦ରୁ ୬ଟା ମଧ୍ୟରେ ସମାପନ ହେବ । ଏଥିପାଇଁ ରାତ୍ର ୨ଟାରେ ଦ୍ବାର ଫିଟା ନୀତି କରାଯାଇ ରାତ୍ର ୧୧ଟାରେ ପହୁଡ଼ ନୀତି ସାରିବା ପାଇଁ ନିଷ୍ପତ୍ତି ହୋଇଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଦିବା ପହୁଡ ନୀତି କରାଯିବ।

ଏଥିସହ ଜାନୁଆରୀ ୩ରେ ଦେବାଭିଷେକ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଓ ଜାନୁଆରୀ ୧୪ରେ ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟ ଉପରେ ବୈଠକରେ ସମୀକ୍ଷା କରାଯାଇଛି। ଏହି ଦିନ ଠାକୁରଙ୍କ ଦୁର୍ଲ୍ଲଭ ସୁନାବେଶ ହେବ। ଜାନୁଆରୀ ୧୪ରେ ହେବାକୁ ଥିବା ମକର ସଂକ୍ରାନ୍ତି ନୀତିକୁ ମଧ୍ୟ ଗୁରୁତ୍ବ ଦେଇଛି ଛତିଶା ନିଯୋଗ। ସମସ୍ତ ନୀତିକାନ୍ତି କୁ ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କ ମଧ୍ୟରେ ଏକ ସବ-କମିଟି ଗଠନ ହେବ। ଦିବ୍ୟାଙ୍ଗ ଭକ୍ତଙ୍କ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି। ପୁରୀବାସୀଙ୍କ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହୋଇଥିବା ବେଳେ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା ପରେ ପରିଚାଳନା କମିଟି ନିଷ୍ପତ୍ତି ନେବ। ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟମୂଳକ କାର୍ଯ୍ୟ ଶେଷ ହେବା ପରେ ସର୍ବସାଧାରଣଙ୍କ ଦର୍ଶନ ବ୍ୟବସ୍ଥା କରାଯିବ। ରତ୍ନଭଣ୍ଡାର ଗଣତିମଣତି ନେଇ ଏକ ଚିଠା ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି।

ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦଏହି ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର କମିଟି, ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ସରକାରଙ୍କ ଅନୁମୋଦନ ପରେ ଗଣତିମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲାପାଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଛତିଶା ନିଯୋଗର ସେବାୟତ ପ୍ରତିନିଧିଙ୍କ ସହିତ ପରିଚାଳନା କମିଟି ସେବାୟତ ସଦସ୍ୟ ଏବଂ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

 

 

Tags: