ଆଜି ଠାରୁ ଘଣ୍ଟାଏ ଲେଖା ଓପିଡ଼ି ବନ୍ଦ ପାଇଁ ଘୋଷଣା କଲା ଓମ୍ସା
ଭୁବନେଶ୍ୱର : ଆଜି ଠାରୁ ବିଭିନ୍ନ ସରକାରୀ ଡାକ୍ତରଖାନାରେ ସକାଳେ ଘଣ୍ଟାଏ ଲେଖା ବନ୍ଦ ରହିବ ବହିର୍ବିଭାଗ ଓପିଡ଼ି । ସକାଳ ୧୦ରୁ ୧୧ଟା ଯାଏଁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରହିବ । ଘଣ୍ଟାଏ ପର୍ଯ୍ୟନ୍ତ ଡାକ୍ତରମାନେ ଓପିଡିରେ ରୋଗୀ ଦେଖିବେ ନାହିଁ । ୧୦ ଦଫା ଦାବି ନେଇ ଓମ୍ସା (ଓଡିଶା ମେଡିକାଲ ଆସୋସିଏସନ) ପକ୍ଷରୁ ଆନ୍ଦୋଳନ କରାଯାଇଛି । ଲେବଲ ୧୫ ଉଚ୍ଛେଦ, ପିଜି ଇନ୍ସେନ୍ଟିଭ୍ ବୃଦ୍ଧି ମଞ୍ଜୁରୀପ୍ରାପ୍ତ ଡାକ୍ତରଙ୍କ ପଦବି ପୂରଣ ଭଳି ୧୦ଟି ଦାବି ରହିଛି । ଏହାସହ ଜାତୀୟ ସ୍ବାସ୍ଥ୍ୟ ମିସନ୍ ପକ୍ଷରୁ ହେଉଥିବା କାର୍ଯ୍ୟକୁ ମଧ୍ୟ ବନ୍ଦ କରାଯିବ ବୋଲି ଓଡ଼ିଶା ମେଡିକାଲ ସେବା ସଂଘ, ଓମ୍ସା ପକ୍ଷରୁ ଘୋଷଣା କରାଯାଇଛି ।
ସେପଟେ,ସଂଘ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସକରାତ୍ମକ ରହିଥିବା ରାଜ୍ୟ ସରକାର କହୁଛନ୍ତି। ମାତ୍ର ପୂର୍ବ ଘୋଷଣା ଅନୁଯାୟୀ ଓମ୍ସା ଆନ୍ଦୋଳନ ଜାରି ରଖିବା ଲାଗି ନିଷ୍ପତ୍ତି ନେଇଛି। ଦୁଇ ଦିନ ତଳେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଓମ୍ସା ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା ।



