OISF ବସ ଦୁର୍ଘଟଣାଗ୍ରସ୍ତ,୧୯ ଯବାନ ଆହତ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ତଡୁଆବାହାଲ ୫୨୦ ଜାତୀୟ ରାଜପଥରେ ଯବାନଙ୍କ ବସ ଦୁର୍ଘଟଣାଗ୍ରସ୍ତ । ଶୁକ୍ରବାର ସକାଳ ପ୍ରାୟ ୭ଟା ୨୦ ମିନିଟ୍ ସମୟରେ OISF (ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ)ର ଗୋଟିଏ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୯ ଜଣ ଯବାନ ଆହତ ହୋଇଛନ୍ତି I ସେଥିମଧ୍ୟରୁ ୬ ଜଣଙ୍କୁ ବାସୁଦେବପୁର ସିଏଚ୍ସିରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡିସ୍ଚାର୍ଜ କରାଯାଇଛି । ବସଟି ୨୨ ଜଣ ଯବାନଙ୍କୁ ନେଇ ଗୁଆଲିରୁ ଘଟଗାଁ ଯାଉଥିବା ବେଳେ ଏକ ଟ୍ରକ ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା I
ଖବର ପାଇ ଚମ୍ପୁଆ ପୁଲିସ ଘଟଣାସ୍ଥଳରେ ପହଂଚି ଆହତମାନଙ୍କୁ ଡାକ୍ତରଖାନା ପଠାଇ ଫେରାର ଟ୍ରକକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି ।
ସେପଟେ ଗତ ବିଳମ୍ବିତ ରାତିରେ ସମ୍ବଲପୁର ଅଇଁଠାପାଲିରେ ଘଟିଛି ଆଉ ଏକ ଭୟଙ୍କର ଦୁର୍ଘଟଣା I ଭାରସାମ୍ୟ ହରାଇ ଏକ କାର ୧୦ରୁ ଅଧିକ ବାଇକ ଉପରେ ଚଢି ଯାଇଥିଲା । ଦୁର୍ଘଟଣାଟି ଏତେ ଜୋରରେ ହୋଇଥିଲା ଯେ କାରର ଇଞ୍ଜିନ ବାହାରି ପଡି ଗାଡ଼ିରୁ ଅଲଗା ହୋଇଯାଇଥିଲା । ଚାଳକ ଜଣଙ୍କ ମଦ୍ୟ ପାନ କରି ଗାଡି ଚଲାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ଏଥିରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି କାର ଚାଳକ । ପୋଲିସ ଘଟଣାସ୍ଥଳରେ ଗାଡ଼ିକୁ ଜବତ କରି ଅଧିକ ତଦନ୍ତ କରିଛି ।



