ଉତ୍କଟ ହେଉଛି ତୈଳ ସମସ୍ୟା , ଠପ ହୋଇପାରେ ବସ ସେବା

ଉତ୍କଟ ହେଉଛି ତୈଳ ସମସ୍ୟା , ଠପ ହୋଇପାରେ ବସ ସେବା
Samaya Live News Picture
Published On

ଭୁବନେଶ୍ୱର : ଚରମ ସୀମାରେ ପହଞ୍ଚିଲାଣି ତୈଳ ସମସ୍ୟା । ଯାହାକୁ ନେଇ ବେଶୀ ଚିନ୍ତାରେ ପଡିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଶୀଘ୍ର ସମାଧାନ ନହେଲେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବସ ସେବା ବନ୍ଦ ହୋଇପାରେ ବୋଲି ଘରୋଇ ବସ୍‌ ସଂଘ ସମ୍ପାଦକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯଦି ଏଭଳି ସମସ୍ୟା ଲାଗି ରହିଲେ ୬ରୁ ୭ ଦିନ ମଧ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ହୋଇଯିବ। ସରକାର ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି। ପବ୍ଲିକ ଟ୍ରାନ୍ସପୋର୍ଟ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା  ଏବଂ କାର୍ଡ ବ୍ୟବସ୍ଥା କରି ଡିଜେଲ ଦେବାକୁ ଅନୁରୋଧ  କରିଛନ୍ତି। ବର୍ତ୍ତମାନ୍ ରାଜ୍ୟରେ ମୋଟ ୧୪ ହଜାର ଘରୋଇ ବସ୍ ଚାଲିଛି। -ତେଲ ନ ମିଳିବାରୁ ପ୍ରାୟ ଦୁଇ ହଜାର ବସ୍ ବନ୍ଦ ହୋଇପଡ଼ିଛି। ଗ୍ରାମାଞ୍ଚଳରେ ତେଲ ନ ମିଳିବାରୁ ବସ୍‌ଗୁଡ଼ିକ ଆସିପାରୁନାହିଁ।   

ଘରୋଇ ବସ ମାଲିକ ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି , ଓଡିଶା ସମେତ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ମଧ୍ୟ ତେଲ ମିଳୁ ନାହିଁ। ତେଣୁ ବାହାର ରାଜ୍ୟର ଗାଡ଼ି ଓଡିଶାକୁ ଆସି ପାରୁ ନାହିଁ। ରାଜ୍ୟ ସରକାର ସମ୍ବେଦନଶୀଳ ହୋଇ ତୁରନ୍ତ ଯାତ୍ରୀବାହୀ ବସ ଗୁଡିକୁ ତେଲ ଯୋଗାଇ ଦିଅନ୍ତୁ। ନଚେତ ଗାଡ଼ି ଚଳାଚଳ ସମ୍ଭବ ହେବ ନାହିଁ। ଏବେ ରାଜ୍ୟରେ କୋଭିଡ ଭଳି ସ୍ଥିତି । ସରକାର ପଦକ୍ଷେପ ନ ନେଲେ ବାଧ୍ୟ ହୋଇ ସମସ୍ତ ଘରୋଇ ଗାଡ଼ି ବନ୍ଦ ହୋଇ ଯିବ ।

Tags: