୧୦ଦିନ ମଧ୍ୟରେ ତୃତୀୟ ଥର ପାଇଁ ବଢ଼ିଲା ତେଲ ଦର
ପେଟ୍ରୋଲ ୮୭ ପଇସା ଏବଂ ଡିଜେଲ ୯୧ ପଇସା ବୃଦ୍ଧି
ଭୁବନେଶ୍ୱର : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଉଛି । ୧୦ଦିନ ମଧ୍ୟରେ ଆଜି ସକାଳୁ ତୃତୀୟ ଥର ପାଇଁ ବଢ଼ିଲା ତେଲ ଦର । ହର୍ମୁଜ୍ ପ୍ରଣାଳୀ ଅବରୋଧ ଯୋଗୁଁ ଭାରତକୁ ଆସିପାରୁନାହିଁ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତେଲ। ଏଥିପାଇଁ ଦେଶରେ ପେଟ୍ରୋଲ ଲିଟର ପ୍ରତି ୮୭ ପଇସା ଏବଂ ଡିଜେଲ ୯୧ ପଇସା ମହଙ୍ଗା ହୋଇଛି । ଚଳିତ ମେ' ମାସରେ ମାତ୍ର କେଇଟା ଦିନ ଭିତରେ ତୃତୀୟ ଥର ପାଇଁ ତେଲ ଦର ବଢ଼ିଛି । ଏହା ପୂର୍ବରୁ ମେ ୧୫ରେ ତେଲ ଦର ଲିଟର ପିଛା ୩ ଟଙ୍କା ବଢ଼ିଥିବା ବେଳେ, ମେ ୧୯ରେ ପୁଣି ୯୦ ପଇସା ବୃଦ୍ଧି ପାଇଥିଲା । ସର୍ବମୋଟ ଭାବେ, ଏପର୍ଯ୍ୟନ୍ତ ଲିଟର ପିଛା ପ୍ରାୟ ୫ ଟଙ୍କା ଦର ବୃଦ୍ଧି ପାଇସାରିଛି । ଲଗାତାର ବଢୁଥିବା ଏହି ଦର ଏବେ ଗରିବ ଓ ମଧ୍ୟବିତ୍ତ ପରିବାରର ଚିନ୍ତାକୁ ଆହୁରି ବଢ଼ାଇଦେଇଛି ।
ଅନ୍ୟପଟେ ,ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତିନାମା ନ ଥିବାରୁ ଆଉ ଏକ ଯୁଦ୍ଧର ସମ୍ଭାବନା ସୃଷ୍ଟି ହୋଇଛି । ସେହିପରି ଭାରତ ରୁଷ ଠାରୁ ଆଉ ଅଶୋଧିତ ତୈଳ କିଣି ପାରିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରତିବନ୍ଧକ ଲଗାଇଛନ୍ତି । ଯଦିଓ ଯୁଦ୍ଧ ଯୋଗୁଁ ଭାରତକୁ ରୁଷରୁ ତେଲ କିଣିବା ପାଇଁ ଏକ ଅସ୍ଥାୟୀ ଛାଡ ମିଳିଥିଲା, କିନ୍ତୁ ସେହି ଛାଡକୁ ଆଉ ନବୀକରଣ କରାଯାଉ ନଥିବାରୁ ଏହି ସଙ୍କଟ ଉପୁଜିଛି ।
କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ସରକାରୀ ତେଲ କମ୍ପାନିଗୁଡ଼ିକ ଦୀର୍ଘ ଦିନ ଧରି ଦର ସ୍ଥିର ରଖିଥିଲେ କିନ୍ତୁ ଆନ୍ତର୍ଜାତୀୟ ବଜାରରେ ଦର ବଢ଼ିବା ସତ୍ତ୍ୱେ ଘରୋଇ ବଜାରରେ ଦର ନବଢ଼ିବାରୁ କମ୍ପାନି ପ୍ରତି ମାସରେ ପ୍ରାୟ ୧,୦୦୦ କୋଟି ଟଙ୍କାର କ୍ଷତି ସହୁଥିଲା । ଏହି କ୍ଷତି ଭରଣା ପାଇଁ ଏବେ କମ୍ପାନି ଧୀରେ ଧୀରେ ଦର ବଢ଼ାଇବା ଆରମ୍ଭ କରିଛନ୍ତି । ଯଦିଓ ଗତ ଦୁଇ ବର୍ଷ ହେବ ଭାରତ ରୁଷଠାରୁ ଶସ୍ତାରେ କ୍ରୁଡ୍ ଅଏଲ୍ କିଣି ଦେଶବାସୀଙ୍କୁ ଆଶ୍ଵସ୍ତି ଦେବାକୁ ଚେଷ୍ଟା କରୁଥିଲା କିନ୍ତୁ ଏବେ ବିଶ୍ଵ ବଜାରର ସ୍ଥିତି ଏବଂ ସପ୍ଲାଇ ଚେନ୍ ପ୍ରଭାବିତ ହେବା ଯୋଗୁଁ ରୁଷିଆନ୍ ରିହାତିର ଲାଭ ମଧ୍ୟ କମି କମି ଯାଉଛି । ତେବେ ପେଟ୍ରୋଲ-ଡିଜେଲ ଦର ବଢ଼ିଲେ ଦୈନନ୍ଦିନ ବ୍ୟବହୃତ ପନିପରିବା, ଫଳ ଓ ଖାଦ୍ୟ ସାମଗ୍ରୀ ମହଙ୍ଗା ହେବ । ଗ୍ରୋସରୀ ଏବଂ ଗାଡ଼ି ଭଡ଼ା ମଧ୍ୟ ବୃଦ୍ଧି ପାଇବ । ତେଣୁ ବର୍ତ୍ତମାନ ଦରବୃଦ୍ଧି ପାଇଁ ଦେଶରେ ଏକପ୍ରକାର ଅଘୋଷିତ ଏମର୍ଜେନ୍ସି ଲାରି ହେବାଭଳି ପରିସ୍ଥିତି ସୃଷ୍ଟି ହୋଇଛି ।



