'ଡାହାଣୀ' ଶବ୍ଦ ବ୍ୟବହାର ନିଷେଧ ହେଉ ,OHRC ଙ୍କ ଐତିହାସିକ ନିର୍ଦ୍ଦେଶ
ଭୁବନେଶ୍ୱର : ‘ଡାହାଣୀ’ ଅପରାଧ ବିରୋଧରେ OHRCଙ୍କ ବଡ଼ ନିର୍ଦ୍ଦେଶ । ଐତିହାସିକ ଓ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଲେ OHRC। ‘ଡାହାଣୀ’ ଶବ୍ଦ ବ୍ୟବହାର ଅପରାଧ ଘୋଷଣା ହେଉ ବୋଲି କହିଛନ୍ତି। ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରି ଆୟୋଗ ଓଡ଼ିଶା ଡାହାଣୀ ଶିକାର ନିବାରଣ ଆଇନ–୨୦୧୩ ଓ ଏହାର ପରିପାଳନା ପାଇଁ ୨୦୧୪ ମସିହାରେ ସୂଚିତ କମ୍ପୋଜିଟ୍ ଆକ୍ସନ୍ ପ୍ଲାନ୍ ର ସମ୍ପୂର୍ଣ୍ଣ ସମୀକ୍ଷା କରିଥିଲେ ।
ସୂଚନାନୁସରେ, ୨୦୧୮ ମାର୍ଚ୍ଚରେ ଯଶୋଦା ସିଂହ ନାମକ ମହିଳାଙ୍କୁ ନୃଶଂସ ହତ୍ୟା ଘଟଣାକୁ ନେଇ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀ କାନୁନଗୋଙ୍କ ଦ୍ୱାରା ଦାଖଲ ପିଟିସନ୍ର ଶୁଣାଣି କରି ଆୟୋଗ ରାୟ ଶୁଣାଇଛନ୍ତି ।
ଡାହାଣୀ ଅଭିଯୋଗ ଆଧାରରେ ଘଟିଥିବା ଏହି ହତ୍ୟା ମାମଲାକୁ ଗୁରୁତ୍ୱର ସହ ବିଚାର କରି ଓଏଚଆରସି ମୃତ ଯଶୋଦା ସିଂହଙ୍କ ନିକଟତମ ଆତ୍ମୀୟଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ । ଡାହାଣୀ ଶିକାର ଭଳି କୁସଂସ୍କାର ପ୍ରଥା ଉପରେ ରୋକ୍ ଲଗାଇବା ଲାଗି ଆଇନରେ ସ୍ପଷ୍ଟ ଓ ପ୍ରଭାବଶାଳୀ ବ୍ୟବସ୍ଥାର ଅଭାବ ରହିଥିବା ଆୟୋଗ ଅନୁଭବ କରିଥିଲେ ।
ଡାହାଣୀ ଶିକାର ଭଳି କୁସଂସ୍କାରମୂଳକ ପ୍ରଥାକୁ ସମୁଳେ ନଷ୍ଟ କରିବା ପାଇଁ ବର୍ତ୍ତମାନ ଆଇନରେ ସ୍ପଷ୍ଟ ଓ ପ୍ରଭାବଶାଳୀ ବ୍ୟବସ୍ଥାର ଅଭାବ ରହିଛି। ବିଶେଷକରି ଡାହାଣୀ ଅଭିଯୋଗ ଆଧାରରେ ବଳପୂର୍ବକ ଗ୍ରାମଛଡ଼ା, ସାମାଜିକ ବହିଷ୍କାର, ସମୁଦାୟରୁ ଚ୍ୟୁତି ଓ ଅମାନବିକ ଆଚରଣକୁ ରୋକିବା ପାଇଁ ଆଇନରେ ସ୍ପଷ୍ଟ ପ୍ରତିରୋଧମୂଳକ ବ୍ୟବସ୍ଥା ନାହିଁ।
ଡାହାଣୀ ଶବ୍ଦକୁ ଅପରାଧ ଭାବେ ଘୋଷଣା କରିବା, ଆଇନକୁ ଲିଙ୍ଗ-ନିରପେକ୍ଷ କରିବା ଏବଂ ପ୍ରତିରୋଧ, ପୁନର୍ବାସ ଓ ନ୍ୟାୟ ପୁନସ୍ଥାପନ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ହୋଇଛି।



