୩୦ ତାରିଖରେ ଓଡ଼ିଶା ବନ୍ଦ !
ଭୁବନେଶ୍ୱର : ସେପ୍ଟେମ୍ବର ୩୦ ତାରିଖରେ ନବ ନିର୍ମାଣ କୃଷକ ସଂଗଠନ (NNKS) ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ବ୍ୟାପକ ତ୍ରୁଟି ଏବଂ ଏଥିପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସଂଗଠନର ଯୁବ ଓ ଛାତ୍ର ଶାଖା ଏହି ରାଜ୍ୟବ୍ୟାପୀ ଏହି ବନ୍ଦ ଡାକରା ଦିଆଯାଇଥିବା ସୂଚନା ମିଳିଛି । ସଂଗଠନ ପକ୍ଷରୁ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଦାବି କରାଯାଇଛି । ବନ୍ଦ ଡାକରା ଯୋଗୁଁ ଯାତାୟାତ, ଦୋକାନ ବଜାର ଏବଂ ଶିକ୍ଷାନୁଷ୍ଠାନ ପ୍ରଭାବିତ ହେବାର ଆଶଙ୍କା ରହିଛି।
ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏନେଇ ସୂଚନା ଦେଇଛନ୍ତି। ସଂଗଠନ ପକ୍ଷରୁ ଘୋଷିତ ଏହି ବନ୍ଦ ଡାକରାକୁ ନେଇ ଆଗାମୀ ଦିନରେ ରାଜ୍ୟରେ ରାଜନୈତିକ ଓ ସାମାଜିକ ମାହୋଲ ଉପରେ ନଜର ରହିବ।
ସୂଚନାନୁସାରେ, ଓଡ଼ିଶା ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା (SCERT) ବହିଗୁଡ଼ିକରେ ପ୍ରାୟ ୧,୭୪୧ଟି ଭୁଲ୍ ତଥ୍ୟ ରହିଥିବା ଅଭିଯୋଗ ହୋଇଛି । ଉଦାହରଣ ସ୍ଵରୂପ, ସାର୍ ଆଇଜାକ୍ ନ୍ୟୁଟନଙ୍କୁ ଜଣେ ପାଇଲଟ୍ ଦର୍ଶାଯିବା, ଓଡ଼ିଶାର ନିୟମଗିରି ପାହାଡ଼କୁ ଝାଡ଼ଖଣ୍ଡରେ ଦେଖାଇବା ଏବଂ କର୍ଣ୍ଣାଟକ ବିଧାନସଭା ଫଟୋକୁ ଓଡ଼ିଶା ବିଧାନସଭା ବୋଲି ଛାପିବା ଭଳି ଗୁରୁତର ତ୍ରୁଟି ସାମ୍ନାକୁ ଆସିଛି ।




