ସୁଲଭ ସହରାଞ୍ଚଳ ଆବାସ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି
ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶା ଆଜି ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ସହରାଞ୍ଚଳ (PMAY-U 2.0)’ ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନରେ ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ସେପ୍ଟେମ୍ବର ୨୦୨୪ରେ PMAY-U 2.0 ର ଶୁଭାରମ୍ଭ ପରଠାରୁ ସହରାଞ୍ଚଳର ହିତାଧିକାରୀଙ୍କୁ ସୁଲଭ ଓ ଗୁଣାତ୍ମକ ବାସଗୃହ ଯୋଗାଇବାରେ ରାଜ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ମାର୍ଚ୍ଚ ୨୦୨୫ ଠାରୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା କ୍ଷେତ୍ରରେ ଓଡ଼ିଶା କ୍ରମାଗତ ଭାବେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ଆସୁଛି। ଏହା “ସମସ୍ତଙ୍କ ପାଇଁ ଆବାସ” ସଂକଳ୍ପ ପ୍ରତି ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଓ କାର୍ଯ୍ୟଦକ୍ଷତାକୁ ପୁନର୍ବାର ପ୍ରମାଣିତ କରିଛି।PMAY-U 2.0 ଅଧୀନରେ ଓଡ଼ିଶାରେ ମୋଟ ୨୪,୬୨୫ଟି ଘର ମଞ୍ଜୁର ହୋଇଥିବାବେଳେ, ସେଥିମଧ୍ୟରୁ ୨୩,୪୬୪ଟି ପ୍ରସ୍ତାବିତ ସ୍ଥାନର ଜିଓ-ଟ୍ୟାଗିଂ କାର୍ଯ୍ୟ ସମାପ୍ତ ହୋଇଛି। ୫ ମେ’ ୨୦୨୬ ସୁଦ୍ଧା ୩,୧୩୪ଟି ଘରର ଭିତ୍ତିପ୍ରସ୍ତର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ, ୨,୦୦୮ଟି ଘରର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣ ହୋଇସାରିଛି । ଅବଶିଷ୍ଟ ଘରଗୁଡ଼ିକ ବିଭିନ୍ନ ପର୍ଯ୍ୟାୟରେ ନିର୍ମାଣାଧୀନ ରହିଛି ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଲକ୍ଷ୍ୟ ପୂରଣ ହେବ ବୋଲି ରାଜ୍ୟ ସରକାର ଆଶା ପ୍ରକାଶ କରିଛନ୍ତି ।
ଏହି ସଫଳତା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସକ୍ରିୟ ପଦକ୍ଷେପ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ସହ ଫଳପ୍ରସୂ ସମନ୍ୱୟ ଏବଂ ତୃଣମୂଳ ସ୍ତରରେ ଦ୍ରୁତ କାର୍ଯ୍ୟାନ୍ୱୟନର ସ୍ପଷ୍ଟ ପ୍ରତିଫଳନ । ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଅଧିକାରୀମାନଙ୍କୁ ନିର୍ମାଣ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ସହ PMAY-U 2.0 ର ଅବଶିଷ୍ଟ ଲକ୍ଷ୍ୟକୁ ସମୟସୀମା ପୂର୍ବରୁ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଛନ୍ତି । ସେ ଠିକ୍ ସମୟରେ କାର୍ଯ୍ୟ ସମ୍ପାଦନ, ଗୁଣାତ୍ମକ ନିର୍ମାଣ ଏବଂ ସହରାଞ୍ଚଳର ଯୋଗ୍ୟ ଗରିବ ପରିବାରଙ୍କୁ ଶୀଘ୍ର ସୁବିଧା ପ୍ରଦାନ ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି । PMAY-U 2.0 ଅଧୀନରେ ଓଡ଼ିଶାର ଏହି ନିରନ୍ତର ସଫଳତା, ସମସ୍ତ ନାଗରିକଙ୍କ ପାଇଁ ସମ୍ମାନଜନକ ଜୀବନଯାପନ ସୁନିଶ୍ଚିତ କରିବା ସହ ଅନ୍ତର୍ଭୁକ୍ତିମୂଳକ ସହରୀ ବିକାଶ ପ୍ରତି ରାଜ୍ୟ ସରକାରଙ୍କ ଦୃଢ଼ ସଂକଳ୍ପର ପ୍ରମାଣ ବହନ କରୁଛି ।



