ମଝି ସମୁଦ୍ରରୁ ୪ ଦିନ ହେଲା ଓଡ଼ିଆ ନେଭି କ୍ୟାଡେଟ ନିଖୋଜ
ଭୁବନେଶ୍ୱର : ମଝି ସମୁଦ୍ରରୁ ଅଚାନକ ନିଖୋଜ ହୋଇଯାଇଛନ୍ତି ଓଡ଼ିଆ ଯୁବ ନେଭି କ୍ୟାଡେଟ ସାର୍ଥକ ମହାପାତ୍ର I ଗତ ୩ ତାରିଖରୁ ସେ ନିଖୋଜ ହୋଇଯାଇଥିବାବେଳେ ଏଯାଏଁ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ I ଯାହାକୁ ନେଇ ପରିବାର ଲୋକ ବହୁତ ଚିନ୍ତିତ ଅଛନ୍ତି । ସାର୍ଥକ ମହାପାତ୍ର ଶେଷଥର ପାଇଁ ଗତ ୨ ତାରିଖ ରାତିରେ ମାଆଙ୍କ ସହ କଥା ହୋଇଥିବାବେଳେ ୩ ତାରିଖ ସକାଳରୁ ତାଙ୍କର କୌଣସି ଖୋଜଖବର ମିଳିନାହିଁ । ତାଙ୍କର ମୋବାଇଲ ସୁଇଚ ଅଫ ରହିଥିବାବେଳେ ଏବିଷୟରେ ମର୍ଚ୍ଚ।ଣ୍ଟ ନେଭି କର୍ତୃପକ୍ଷ କୌଣସି ସଠିକ ତଥ୍ୟ ଦେଉନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ମାମଲାରେ କେନ୍ଦ୍ରର ୪ଟି ବିଭାଗକୁ ଚିଠି ଲେଖିଛନ୍ତି ପ୍ରିନ୍ସିପାଲ ରେସିଡେଣ୍ଟ କମିଶନର । ବନ୍ଦର, ସିପିଂ ଓ ଜଳପଥ ସଚିବଙ୍କୁ ଚିଠି ଲେଖିଲେ ପିଆରସି ବିଶାଲ ଗଗନ। ବୈଦେଶିକ ସଚିବ, ସ୍ବରାଷ୍ଟ୍ର ସଚିବ ଓ ସିପିଂ ଡିଜିଙ୍କୁ ଚିଠି ଲେଖିଛନ୍ତି । କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ନିଖୋଜ ଘଟଣା ସମଗ୍ର ଓଡ଼ିଶାରେ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି।
ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ସାର୍ଥକଙ୍କୁ ଖୋଜିବାରେ ସହାୟତା କରିବାକୁ କେନ୍ଦ୍ର ସରକାର, ସିପିଂ ମହାନିର୍ଦ୍ଦେଶକ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ। ସନ୍ଧାନ ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି ନବୀନ।
ସୂଚନାନୁସାରେ, ସାର୍ଥକ ମହାପାତ୍ର (୨୩ ବର୍ଷ)ଙ୍କ ଘର ଭଦ୍ରକ ବ୍ଲକ୍ କେଶପୁର ଅଞ୍ଚଳରେ । ତାଙ୍କ ପରିବାର ଦୀର୍ଘବର୍ଷ ହେଲା ଭୁବନେଶ୍ୱରରେ ରହୁଛନ୍ତି । ଗତ ୧୪ ଜୁଲାଇ ୨୦୨୫ରୁ ମୁମ୍ବାଇର ଆଙ୍ଗଲୋ ଇଷ୍ଟର୍ଣ୍ଣସିପ୍ ମ୍ୟାନେଜମେଣ୍ଟ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାରେ ନିଯୁକ୍ତ ଥିଲେ ସାର୍ଥକ । ‘ଇଏ ଜେରସି ଭେସେଲ୍’ରେ ସେ କ୍ରିୟୁ ମେମ୍ବର ଭାବରେ ଇଣ୍ଟର୍ଣ୍ଣସିପ୍ କରୁଥିଲେ । ଗତ ୨ ତାରିଖରେ ମରିସସ୍ରୁ ଚାଇନା ଯାଉଥିଲେ । ସିପ୍ ସିଙ୍ଗାପୁର ରୁ ଚାଇନକୁ ଫେରିବା ସମୟରେ ମଝି ସମୁଦ୍ରରେ ଗତ ୩ ତାରିଖରେ ରହସ୍ୟମୟ ଭାବେ ଗାୟବ ହୋଇଛନ୍ତି ଭଦ୍ରକର ସାର୍ଥକ । ୩ ତାରିଖ ସକାଳ ୬ଟା ୧୫ରେ ତାଙ୍କୁ ଶେଷଥର ପାଇଁ କ୍ୟାବିନକୁ ଯାଉଥିବା ଦେଖାଯାଇଥିଲା । କିନ୍ତୁ ସକାଳ ସକାଳ ପ୍ରାୟ ୮ଟା ୩୦ରେ ଚିଫ୍ ଅଫିସର ତାଙ୍କ କ୍ୟାବିନ ଯାଞ୍ଚ କରିବାକୁ ଯାଇଥିବାବେଳେ ତାହା ଖାଲି ଥିଲା। ଏହାପରେ ସମଗ୍ର ଜାହାଜରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା । ସେ ରହିବା ସ୍ଥାନ, ଡେକ୍ ଏବଂ ଅନ୍ୟାନ୍ୟ ଅଂଶକୁ ଯାଞ୍ଚ ପରେ ମଧ୍ୟ ତାଙ୍କର କୌଣସି ସୂଚନା ମିଳି ନ ଥିଲା ।
୩ ତାରିଖ ସକାଳ ପ୍ରାୟ ୯ଟା ୪୦ରେ ଜାହାଜର ‘ସାଧାରଣ ସତର୍କ ଘଣ୍ଟି’ ବଜାଯାଇ ସମସ୍ତ କ୍ରୁ ସଦସ୍ୟଙ୍କ ଗଣନା କରାଯାଇଥିବାବେଳେ ସାର୍ଥକଙ୍କୁ ଛାଡ଼ି ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହା ପରେ ଜାହାଜର ଗତି କମାଇ ଦିଆଯାଇ ସନ୍ଧାନ ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା। ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜାହାଜରୁ ଏକ ବିପଦ ସଙ୍କେତ ଜାରି କରାଯାଇଥିଲା ଏବଂ ନିକଟସ୍ଥ ସାମୁଦ୍ରିକ ଉଦ୍ଧାରକାରୀ ସଂସ୍ଥାଗୁଡ଼ିକୁ ଅବଗତ କରାଯାଇଥିଲା । ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ର, ମରିସସ୍କୁ ମଧ୍ୟ ସତର୍କ କରାଯାଇଛି। ଆଖପାଖ ସମୁଦ୍ର ଅଞ୍ଚଳରେ ନିରନ୍ତର ସନ୍ଧାନ ଅଭିଯାନ ଜାରି ରହିଛି।
କମ୍ପାନୀ ତରଫରୁ ତାଙ୍କ ପରିବାରକୁ କେବଳ କୁହାଯାଇଛି, ସାର୍ଥକ ମିସିଙ୍ଗ (ନିଖୋଜ) ଅଛନ୍ତି ଓ ତାଙ୍କୁ ସମୁଦ୍ର ମଝିରେ ଖୋଜା ଚାଲିଛି। କିନ୍ତୁ ପୁଅ ସହ କଣ ହୋଇଛି, କେମିତି ନିଖୋଜ ହେଲେ ସେ ବିଷୟରେ କୌଣସି ସୂଚନା କମ୍ପାନୀ ତରଫରୁ ଦିଆଯାଇନାହିଁ। ପୁଅକୁ ଉଦ୍ଧାର ପାଇଁ ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ପରିବାର ।



