ବିଧାନସଭାରେ ଅନୁମୋଦନ ଲାଭ କଲା ଓଡିଶା ଜନ ବିଶ୍ୱାସ ବିଲ - ୨୦୨୫

ଜୁଆ ଖେଳ ପାଇଁ ଜେଲ ପରିବର୍ତ୍ତେ ୫ ରୁ ୭୫ ହଜାର ଜୋରିମାନା

ବିଧାନସଭାରେ ଅନୁମୋଦନ ଲାଭ କଲା ଓଡିଶା ଜନ ବିଶ୍ୱାସ ବିଲ - ୨୦୨୫

ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ‘ଓଡ଼ିଶା ଜନ ବିଶ୍ୱାସ ବିଲ୍ ୨୦୨୫’ ପାରିତ ହୋଇଛି । ଦୀର୍ଘ ସମୟ ଧରି ଆଲୋଚନା ପରେ ଏହି ବିଲ୍ ପାରିତ ହୋଇଥିବା ବେଳେ ଏଥିରେ ଜୁଆ ଖେଳି ଧରାପଡ଼ିଲେ ମୋଟା ଅଙ୍କର ଜରିମାନା ବ୍ୟବସ୍ଥା କରାଯାଇଛି । ଜୁଆ ଖେଳକୁ ରୋକିବା ପାଇଁ ଜେଲ ପରିବର୍ତ୍ତେ ଦଣ୍ଡ ସ୍ୱରୂପ ୫ରୁ ୭୫ ହଜାର ଯାଏଁ ଜୋରିମାନା ଲଗାଯାଇଛି   I

ସମ୍ବନ୍ଧିତ ଖବର 'ରାହତବୀର' ଙ୍କ ସହାୟତା ରାଶି ବୃଦ୍ଧି ଘୋଷଣା

ରାଜ୍ୟ ବିଧାନସଭାରେ ଚାରି ଘଣ୍ଟାର ମାରାଥନ ବିତର୍କ ପରେ ଓଡ଼ିଶା ଜନ ବିଶ୍ୱାସ ବିଲ୍, ୨୦୨୫ ପାସ୍ କରିଛି । ଏହି ବିଲ୍ ୯ଟି ବିଭାଗର ୧୬ଟି ଆଇନ ସଂଶୋଧନ କରିଛି ଏବଂ ଓଡ଼ିଶା ଜୁଆ ନିବାରଣ ଆଇନ, ୧୯୫୫ ଅନୁଯାୟୀ ଜେଲଦଣ୍ଡ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ହଟାଇ ଦେଇଛି । ନୂଆ ଆଇନରେ ପୂର୍ବରୁ ଥିବା ଜରିମାନା ରାଶିକୁ ବହୁଗୁଣିତ କରାଯାଇଛି । ପୂର୍ବରୁ ଥିବା ଶହେ ଟଙ୍କା ଜରିମାନାକୁ ୨୫ ହଜାର ଟଙ୍କା ଏବଂ  ହଜାରେ ଟଙ୍କା ଜରିମାନାକୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। 

ସମ୍ବନ୍ଧିତ ଖବର ହୋର୍ଡ଼ିଂ ପଡି ୨ ଜଣକ ମୃତ୍ୟୁ ଘଟଣାରେ ରାସ୍ତା ରୋକ

ଏଥିପାଇଁ ସର୍ବସାଧାରଣ ସ୍ଥାନରେ କଟକଣା ଲଗାଯାଇଛି।  ବଜାର, ମେଳା, କିମ୍ବା ରାସ୍ତାରେ ଜୁଆ ଖେଳକୁ ଆଦୌ ବରଦାସ୍ତ କରାଯିବ ନାହିଁ। ପଶୁ ପକ୍ଷୀ ଲଢ଼େଇ କରାଉଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜୋରିମାନା ଦେବାକୁ ପଡ଼ିବ। ଅଭିଯୁକ୍ତଙ୍କୁ ସରକାରୀ ଅଧିକାରୀ ସିଧାସଳଖ ସବ୍‌ଡିଭିଜନାଲ୍ ମାଜିଷ୍ଟ୍ରେଟ୍ ଙ୍କ ନିକଟରେ ହାଜର କରିପାରିବେ।  ବିଧାନସଭାରେ ଓଡ଼ିଶା ଜନ ବିଶ୍ୱାସ ବିଲ ୨୦୨୫ ଅନୁମୋଦନ ଲାଭ ପରେ ଖୁବ୍‌ ଶୀଘ୍ର ଏହି ନିୟମ ପ୍ରଚଳନ ହେବ। ଯାହାକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। 

ସମ୍ବନ୍ଧିତ ଖବର ଏଆଇ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନକୁ ସହଜ କରିବ -ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ ସରକାର ଏହାକୁ ସଂସ୍କାରମୂଳକ ପଦକ୍ଷେପ ବୋଲି ଅଭିହିତ କରିଥିବା ବେଳେ ବିରୋଧୀ ଏହାକୁ ଜନ ବିଶ୍ୱାସ ନୁହେଁ ‘ଜନ ବିଶ୍ୱାସଘାତକ’ ବିଲ୍‌ ବୋଲି ଆକ୍ଷେପ କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଏହି ନୂଆ ଆଇନ ରାଜ୍ୟର ଜୁଆଡ଼ିଙ୍କୁ ଆନନ୍ଦିତ କରିଛି। ଜେଲ୍‌ ଦଣ୍ଡ ଉଠି ଯାଇଥିବାରୁ ଏବେ ହୋଟେଲ, କ୍ଲବ୍‌ ବା ଅନ୍ୟ ଯେଉଁଠି ଜୁଆ ଖେଳ ହୋଇ ପାରିବ ଓ ଲକ୍ଷଲକ୍ଷ ଟଙ୍କା ଲାଭ ବଦଳରେ ମାତ୍ର ୫ ହଜାର ଟଙ୍କା ଜୋରିମାନା ଦେଇ ମୁକୁଳିବା ବ୍ୟବସ୍ଥା ସେମାନଙ୍କୁ ଆଶ୍ୱସ୍ତ କରିଛି। 

ବିରୋଧୀ ବିଜେଡି ପକ୍ଷରୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ବିଲକୁ ବିରୋଧ କରିଛନ୍ତି। ଏହି ଆଇନ ଦ୍ୱାରା ମାତ୍ର ୫ ହଜାର ଦେଇ ଜୁଆ ଖେଳ ହୋଇପାରିବ ବୋଲି ବ୍ୟବସ୍ଥା ହୋଇଛି । କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ବିଲରେ ଅପରାଧିକ ମାମଲା ପାଇଁ ଜରିମାନା ବ୍ୟବସ୍ଥା କରିବାକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ୫ ହଜାର ଜରିମାନା ଦ୍ୱାରା ଲୋକେ ଖୁସିରେ ଜୁଆ ଖେଳିବେ । ଏହି ବିଲ୍‌ରେ ୯ଟି ବିଭାଗର ୧୬ଟି ମୂଳ ରାଜ୍ୟ ଆଇନ୍‌ରେ ସଂଶୋଧନ କରାଯାଇଛି । 

୧. ଓଡ଼ିଶା ନର୍ସ ଏବଂ ଧାତ୍ରୀ ପଞ୍ଜୀକରଣ ଆଇନ, ୧୯୩୮

୨. ଓଡ଼ିଶା ପୌର ଆଇନ, ୧୯୫୦

୩. ଓଡ଼ିଶା ଜୁଆ ନିବାରଣ ଆଇନ, ୧୯୫୫

୪. ଓଡ଼ିଶା କୃଷି ଉତ୍ପାଦ ବଜାର ଆଇନ, ୧୯୫୬

୫. ଓଡ଼ିଶା ନଗର ଯୋଜନା ଏବଂ ଉନ୍ନତି ଟ୍ରଷ୍ଟ ଆଇନ, ୧୯୫୬

୬. ଓଡ଼ିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬

୭. ଓଡ଼ିଶା ବିଦ୍ୟୁତ୍ (କର୍ତ୍ତବ୍ୟ) ଆଇନ, ୧୯୬୧

୮. ଓଡ଼ିଶା କେନ୍ଦୁ ପତ୍ର (ବାଣିଜ୍ୟ ନିୟନ୍ତ୍ରଣ) ଆଇନ, ୧୯୬୧

୯. ଓଡ଼ିଶା ସମବାୟ ସମିତି ଆଇନ, ୧୯୬୨

୧୦. ଓଡ଼ିଶା ଶିଳ୍ପ ପ୍ରତିଷ୍ଠାନ (ଜାତୀୟ ଏବଂ ପର୍ବପର୍ବାଣୀ) ଛୁଟିଦିନ ଆଇନ, ୧୯୬୯

୧୧. ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ, ୧୯୮୨

୧୨. ଓଡ଼ିଶା ଅଗ୍ନି ନିର୍ବାପନ ଏବଂ ଜରୁରୀକାଳୀନ ସେବା ଆଇନ, ୧୯୯୩

୧୩. ଓଡ଼ିଶା ପୌର ନିଗମ ଆଇନ, ୨୦୦୩

୧୪. ଓଡ଼ିଶା ମୂଲ୍ୟଯୁକ୍ତ ଟିକସ ଆଇନ, ୨୦୦୪

୧୫. ଓଡ଼ିଶା ଶ୍ରମ କଲ୍ୟାଣ ପାଣ୍ଠି ଆଇନ, ୨୦୦୫

୧୬. ଓଡ଼ିଶା ଉତ୍ପାଦ ଆଇନ, ୨୦୦୮

ବିଲ୍‌ର ପ୍ରବର୍ତ୍ତକ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହାକୁ ଏକ "ଐତିହାସିକ ଆଇନଗତ ସଂସ୍କାର" ଭାବରେ ବର୍ଣ୍ଣନା କରିଛନ୍ତି ଯାହା ସୁଶାସନ, ନାଗରିକ-କୈନ୍ଦ୍ରିକ ଆଇନ ଏବଂ ନିବେଶକଙ୍କ ବିଶ୍ୱାସକୁ ବୃଦ୍ଧି କରି "ବିକଶିତ ଓଡ଼ିଶା"  ଆଡ଼କୁ ଓଡ଼ିଶାର ଯାତ୍ରାକୁ ତ୍ୱରାନ୍ୱିତ କରିବ।

 

Tags: