ଜିରୋ କାଜୁଆଲିଟି ପାଇଁ ଓଡିଶା ପ୍ରସିଦ୍ଧ - ମୁଖ୍ୟମନ୍ତ୍ରୀ
ପୁରୀରେ ବ୍ରିକ୍ସ ସମ୍ମିଳନୀର ୨ୟ ଦିନ ,ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ପୁରୀ : ପୁରୀରେ ଚାଲିଛି ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀ । ୨ୟ ଦିନରେ ସମ୍ମିଳନୀ ଚାଲିଥିବାବେଳେ ଗତକାଲି ଠାରୁ ଏଥିରେ ସାମିଲ ହୋଇଛନ୍ତି ୧୧ଟି ଦେଶରୁ ଆସିଥିବା ପ୍ରତିନିଧି ମଣ୍ଡଳୀ । ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ ଏବଂ ବୈଷୟିକ ଦିଗ ଆଦି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି । ମହୋଦଧି ତଟରେ ଆୟୋଜିତ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ଏବେ ବିଶ୍ୱସ୍ତରରେ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛି । ଆଜି ଦ୍ବିତୀୟ ଦିନରେ ସମ୍ମିଳନୀରେ ସାମିଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଓଡ଼ିଶାରେ ବ୍ରିକ୍ସ ସମ୍ମିଳନୀ ପାଇଁ ମୁଖ୍ୟମନ୍ତ୍ରୀ । ଏହି ସମୟରେ ସେ କହିଛନ୍ତି ଜିରୋ କାଜୁଆଲିଟି ପାଇଁ ଓଡିଶା ପ୍ରସିଦ୍ଧ । ୧୯୯୯ ମହାବାତ୍ୟା କୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ସବୁ ପ୍ରାକୃତିକ ବିପର୍ଯ୍ୟୟକୁ ସାହସର ସହିତ ମୁକାବିଲା କରିଛି ଓଡିଶା ।
ଗତକାଲି ପ୍ରଥମ ଦିନରେ ୬ଟି ବୈଷୟିକ ଅଧିବେଶନରେ ଆଲୋଚନା ହୋଇଥିଲା । ବିପର୍ଯ୍ୟୟ ପରିଚାଳନା ନେଇ ପ୍ରଶାସନିକ ଓ ସମ୍ପ୍ରଦାୟ ଆଧାରିତ ପଦ୍ଧତି, ପ୍ରାକ ଅନୁମାନ ଯୋଗ୍ୟ ନିବେଶ ପାଇଁ ଆର୍ଥିକ ମଡେଲ, ବହୁ ବିପଦର ପ୍ରାରମ୍ଭିକ ସୂଚନା, ବାତ୍ୟା ଓ ବନ୍ୟା ସହ୍ୟ କରିପାରୁଥିବା ଘର ଓ ରାସ୍ତା ତଥା ପ୍ରାକୃତିକ ଆଧାରିତ ସମାଧାନ ନେଇ ସମ୍ବିଳନୀରେ ମାନସ ମନ୍ଥନ କରାଯାଇଛି । ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହେବା ସତ୍ତ୍ୱେ ମଧ୍ୟ ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟର ସଫଳ ମଡେଲକୁ ଏଠାରେ ପ୍ରଦର୍ଶନ କରାଯାଉଛି । ଏଥିରେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ମହାନିର୍ଦ୍ଦେଶକ ଡ଼କ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ଉପସ୍ଥିତ ରହି ବିପର୍ଯ୍ୟୟ ପୂର୍ବ ସତର୍କତା ଓ ପ୍ରତିକ୍ରିୟା ବ୍ୟବସ୍ଥା ବିଷୟରେ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି ।
ପୁରୀ ମହୋଦଧି କୂଳରେ ଥିବା ଏକ ଘରୋଇ ହୋଟେଲରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରାୟ ୭ ପ୍ଲାଟୁନ ପୋଲିସ ଫୋର୍ସ ଓ ବରିଷ୍ଠ ଅଧିକାରୀ ମାନଙ୍କୁ ମୁତୟନ କରାଯାଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀ ଆୟୋଜନ ହେଉଥିବାରୁ ଏହାକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ।



