ଆଜି ୯୦ତମ ଉତ୍କଳ ଦିବସ ପାଳନ କରୁଛି ଓଡିଶା
ଭୁବନେଶ୍ୱର : ଆଜି ଏପ୍ରିଲ ୧ ଉତ୍କଳ ଦିବସ । ସାରା ବିଶ୍ୱରେ ଆମକୁ ପରିଚୟ ଦେଇଛି ଏହି ଦିନ । ଆମ ଓଡ଼ିଶାର ଗର୍ବର ଦିନ, ଆମର ପରିଚୟର ଦିନ, ଉତ୍କଳ ଦିବସ (ବର୍ତ୍ତମାନ ସରକାରୀ ସ୍ତରରେ ଏହାକୁ ଓଡିଶା ଦିବସ ନାମରେ ନାମିତ କରାଯାଇଛି ) । ଆଜି ର ଦିବସକୁ ନେଇ ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି ।
୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଓଡିଶା ପ୍ରଦେଶ ସ୍ୱତନ୍ତ୍ର ମାନ୍ୟତା ପାଇଥିଲା । ଆଜିର ଦିନରେ ଭାଷା ଭିତ୍ତିରେ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଗଠିତ ହୋଇଥିଲା । ଆଜି ସେହି ଐତିହାସିକ ଦିନକୁ ୯୦ ବର୍ଷ ପୂର୍ତ୍ତି ହେଉଛି । ଏପ୍ରିଲ ୧ ଓଡ଼ିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ । ଆମ ପାଇଁ ଏହା କେବଳ ଗୋଟିଏ ଦିନ ନୁହଁ, ଏହା ଆମର ଭାଷା, ସଂସ୍କୃତି ଓ ଐତିହ୍ୟର ଗର୍ବର ଦିନ।
ଭାଷା ଭିତ୍ତିରେ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବାରେ ଓଡ଼ିଶା ପାଲଟିଥିଲା ଭାରତର ପ୍ରଥମ ରାଜ୍ୟ । ପୂର୍ବରୁ ଉତ୍କଳ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ି ରହିଥିଲା । ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବାବେଳେ ଉତ୍ତରରେ ବାଲେଶ୍ବରରେ ବଙ୍ଗଳାର ପ୍ରଭାବ, କେତେକ ଅଞ୍ଚଳ ବିହାରରେ, ଦକ୍ଷିଣରେ ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ରାଧାନାଥ ରାୟ, ସ୍ବଭାବକବି ଗଙ୍ଗାଧର ମେହେରଙ୍କ ପରି ଓଡ଼ିଶାର ବୀରପୁତ୍ରମାନେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସଂଘର୍ଷ କରିଥିଲେ । ଏହି ବୀରପୁତ୍ରଙ୍କ ଉଦ୍ୟମରେ ୧୯୦୩ରେ ପ୍ରଥମେ ଗଠନ ହେଲା ‘ଉତ୍କଳ ସମ୍ମିଳନୀ’। ଅବିଶ୍ରାନ୍ତ ସଂଗ୍ରାମ ପରେ ୧୯୩୬ ମସିହା ଏପ୍ରିଲ୍ ୧ରେ ଗଠନ ହେଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ।
ଏହାକୁ ସ୍ମରଣୀୟ କରିବା ପାଇଁ ଆଜି ରାଜ୍ୟବାସୀ ବେଶ୍ ଧୁମଧାମରେ ପାଳନ କରୁଛନ୍ତି ଓଡ଼ିଶା ଦିବସ । ଉତ୍କଳ ଦିବସ ପାଇଁ ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି । ବିଧାନସଭା, ଲୋକସେବା ଭବନ, ଖାରବେଳ ଭବନ, ନିର୍ମାଣ ସୌଧ, କମିସନରେଟ୍ ପୁଲିସ ମୁଖ୍ୟାଳୟ ରଙ୍ଗ ବେରଙ୍ଗ ଆଲୋକରେ ଝଲସି ଉଠିଛି । ସେହିପରି କୃଷି ଭବନ, ରିଜର୍ଭ ବ୍ୟାଙ୍କ ଓ ଏସ୍ବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ମଧ୍ୟ ସଜା ଯାଇଛି । ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ଵର। ରଙ୍ଗୀନ ଓ ଚିକ ମିକ୍ ଆଲୋକ ମାଳାରେ ଝଲସୁଛି ରାଜଧାନୀ । ସଜେଇ ହୋଇଛି ସରକାରୀ ଦପ୍ତର । ଉତ୍କଳ ଦିବସ ଓଡିଶାର ସ୍ୱତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା ଦିବସକୁ ମନେ ରଖିବା ପାଇଁ ଏହି ଦିନକୁ ପାଳନ କରିଥାନ୍ତି କୋଟି କୋଟି ଓଡିଆ । ଅନେକ ସ୍ଥାନରେ ଉତ୍କଳ ଦିବସ ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ରାଜ୍ଯ ସରକାଙ୍କ ପକ୍ଷରୁ ଉତ୍କଳ ଦିବସ ଠାରୁ ଓଡ଼ିଆ ପକ୍ଷ ପାଳନ ପାଇଁ ନିଷ୍ପତ୍ତି ହୋଇଛି।




