ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ସର୍ବାଧିକ ସଂସ୍କାର ପାଇଁ ଓଡ଼ିଶା ସମ୍ମାନିତ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ସର୍ବାଧିକ ସଂସ୍କାର ପାଇଁ ଓଡ଼ିଶା ସମ୍ମାନିତ
Samaya Live News Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା–(ସହର) ୨.୦ ଅଧୀନରେ ସର୍ବାଧିକ ସଂସ୍କାର କାର୍ଯ୍ୟକାରୀ କରିଥିବାରୁ ଓଡ଼ିଶାକୁ ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ  ପକ୍ଷରୁ ବିଶେଷ ସ୍ୱୀକୃତି ପୁରସ୍କାର ପ୍ରଦାନ କରାଯାଇଛି ।

ନୂଆଦିଲ୍ଲୀ ଠାରେ ଆୟୋଜିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ସହର ପୁରସ୍କାର–୨୦୨୬ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସହରୀ ଆବାସ ସମ୍ପର୍କିତ ପ୍ରକ୍ରିୟାକୁ ସରଳ କରିବା, କାର୍ଯ୍ୟକାରିତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଆବାସ ସୁବିଧାର ସୁବ୍ୟବସ୍ଥିତ ପହଞ୍ଚ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶାର ନିରନ୍ତର ପ୍ରୟାସକୁ ଏହି ଜାତୀୟ ସ୍ୱୀକୃତି ପ୍ରଦାନ କରାଯାଇଛି ।

ସହରୀ ଆବାସ କ୍ଷେତ୍ରରେ ରାଜ୍ୟର ସଂସ୍କାରମୂଳକ ଆଭିମୁଖ୍ୟକୁ ଏହି ପୁରସ୍କାର ସ୍ୱୀକୃତି ଦେଇଛି । ପ୍ରଶାସନିକ ଦକ୍ଷତା ବୃଦ୍ଧି, ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥା ମଧ୍ୟରେ ସମନ୍ୱୟ ସୁଦୃଢ଼ କରିବା ଏବଂ ସ୍ୱଚ୍ଛ ଓ ଦକ୍ଷ କାର୍ଯ୍ୟକାରିତା ପାଇଁ ପ୍ରଯୁକ୍ତିର ଉପଯୋଗ ଭଳି ବିଭିନ୍ନ ପଦକ୍ଷେପ ଏଥିରେ ସାମିଲ ରହିଛି । ଏହି ପଦକ୍ଷେପଗୁଡ଼ିକର ସୁବିଧା ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଅଧିକ ସରଳ, ସୁବ୍ୟବସ୍ଥିତ ଓ ନାଗରିକକୈନ୍ଦ୍ରିକ ବ୍ୟବସ୍ଥା ଗଠନରେ ସହାୟକ ହୋଇଛି ।

ଏହି ସ୍ୱୀକୃତି ପାଇଁ  ଅଭିନନ୍ଦନ ଜଣାଇ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, “ଏହି ସ୍ୱୀକୃତି ଓଡ଼ିଶା ପାଇଁ ଗର୍ବର ବିଷୟ । ଆମ ଅଧିକାରୀ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଏବଂ କାର୍ଯ୍ୟାନ୍ୱୟନକାରୀ ସଂସ୍ଥାଗୁଡ଼ିକର ସମିଳିତ ପ୍ରୟାସର ଏହା ପ୍ରତିଫଳନ । ଆମର ଲକ୍ଷ୍ୟ କେବଳ ଘର ନିର୍ମାଣ କରିବା ନୁହେଁ; ବରଂ ପ୍ରତ୍ୟେକ ଯୋଗ୍ୟ ସହରୀ ପରିବାରକୁ ସ୍ୱଚ୍ଛ, ସୁରକ୍ଷିତ ଓ ସମ୍ମାନଜନକ ଆବାସ ଯୋଗାଇବା ସହ ଏକ ସ୍ୱଚ୍ଛ ଓ ନାଗରିକକୈନ୍ଦ୍ରିକ ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କ ନିକଟରେ ଏହି ସୁବିଧା ପହଞ୍ଚାଇବା ।”

ଡ. ମହାପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା–(ସହର)୨.୦ ଅଧୀନରେ ସଂସ୍କାର, ଦ୍ରୁତ କାର୍ଯ୍ୟାନ୍ୱୟନ ଏବଂ ପ୍ରଭାବଶାଳୀ ଶେଷ ପର୍ଯ୍ୟାୟରେ ସୁବିଧା ପହଞ୍ଚାଇବା ଉପରେ ଓଡ଼ିଶା ଆଗାମୀ ଦିନରେ ମଧ୍ୟ ଗୁରୁତ୍ୱ ଦେବ । ସେ କହିଛନ୍ତି, “ଆମ ପାଇଁ ଘର କେବଳ ଏକ ଭୌତିକ ଢାଞ୍ଚା ନୁହେଁ; ଏହା ଗୋଟିଏ ପରିବାର ପାଇଁ ସମ୍ମାନ, ସୁରକ୍ଷା ଓ ଏକ ଉନ୍ନତ ଭବିଷ୍ୟତର ପ୍ରତୀକ । ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଯେପରି ସମୟୋଚିତ ଓ ନିର୍ବିଘ୍ନ ଭାବେ ଯୋଜନାର ସୁବିଧା ପାଇପାରିବେ, ସେଥିପାଇଁ ଆମେ ଦୃଢ଼ତାର ସହ କାର୍ଯ୍ୟ ଜାରି ରଖିବୁ ।”

ଏହି ବିଶେଷ ସ୍ୱୀକୃତି ପୁରସ୍କାର ଦକ୍ଷ, ସଂସ୍କାରଭିତ୍ତିକ ଓ ନାଗରିକ କୈନ୍ଦ୍ରିକ ସହରୀ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶାର ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା । ଏହା ସହିତ ରାଜ୍ୟ ସରକାରଙ୍କ “ସମସ୍ତଙ୍କ ପାଇଁ ଆବାସ” ଜାତୀୟ ଲକ୍ଷ୍ୟ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ମଧ୍ୟ ଆହୁରି ସୁଦୃଢ଼ କରିଛି ।

Tags: