ଓଡ଼ିଆ ମେଲୋଡି ଜଗତ ସ୍ତବ୍ଧ,ଆଖି ବୁଜିଲେ ଦାଦା

ଓଡ଼ିଆ ମେଲୋଡି ଜଗତ ସ୍ତବ୍ଧ,ଆଖି ବୁଜିଲେ ଦାଦା

ଭୁବନେଶ୍ୱର : ଓଲିଉଡ଼ ସଂଗୀତ ଜଗତରେ ଶୋକର ଛାୟା । ବିଶିଷ୍ଟ ଓଡ଼ିଆ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଆଖି ବୁଜିଲେ ଦାଦା । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ୪ ମାସ ଧରି ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିଲେ ।  ଲିଭର ଜନିତ ସମସ୍ୟାରେ ପୀଡ଼ିତ ଥିଲେ ଅଭିଜିତ୍ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଭେଣ୍ଟିଲେଟର ସପୋର୍ଟରେ ରହିଥିଲେ । ସେଠାରୁ ସେ ଧୀରେ ଧୀରେ ସୁସ୍ଥ ହୋଇଥିଲେ । ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ସକାଳ ୯.୦୨ ମିନିଟ ରେ ତାଙ୍କର ମୃତ୍ୟୁ ହୋଇଛି । ଗତ ନଭେମ୍ବର ୧୭ ତାରିଖରେ ଓଡ଼ିଆ ସଂଗୀତ ଜଗତର ଆଉ ଏକ ଉଜ୍ଜ୍ୱଳ ତାରକା ହ୍ୟୁମାନ ସାଗରଂକୁ ହରାଇଥିଲା ଓଡ଼ିଶା । ଆଜି ଅଭିଜିତଙ୍କୁ ହରାଇ ଭାଙ୍ଗିପଡିଛି ଓଡ଼ିଆ ସଙ୍ଗୀତ ଜଗତ ।

ସମ୍ବନ୍ଧିତ ଖବର ରାଜଧାନୀରେ ପୁଣି ଦୁର୍ଘଟଣା ଘଟାଇଲା ଥର,୧ ଗୁରୁତର

ଅନେକ ହିଟ୍ ଗୀତ ଦେଇଛନ୍ତି କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ।  ହସହସ ଚେହେରାର ମଣିଷଟିଏ ଥିଲେ ଅଭିଜିତ ମଜୁମଦାର । ବେଳେବେଳେ ଗୀତର ସ୍ୱରରେ ଆଖି ପତା ଲୁହରେ ଭିଜାଇଛନ୍ତି ତ ଆଉ କେବେ ଗୀତ ଗୀତରେ ଖୁବ ହସାଇଛନ୍ତି ।

ସମ୍ବନ୍ଧିତ ଖବର ଦେଢ଼ ଲକ୍ଷ ପାର କଲା ସୁନା ଦର

୧୯୭୧ମସିହା ୧୧ ସେପ୍ଟେମ୍ବରରେ ଜନ୍ମ ଗ୍ରହଣ କରିଥିବା ଅଭିଜିତ ମଜୁମଦାର ଜଣେ ଓଡ଼ିଆ କଥାଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ଥିଲେ । ସେ ଓଲିଉଡ଼ ମେଲୋଡି ଇଣ୍ଡଷ୍ଟ୍ରି ରେ ଦାଦା ନାମରେ ପରିଚିତ ଥିଲେ    ୨୦୦୦ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ଅଭିଜିତ  । ସେ ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଆଧୁନିକ ଆଲବମ୍‌, ଭଜନ, ସମ୍ବଲପୁରୀ ଆଲବମ୍‌, ଓଡ଼ିଆ ଧାରାବାହିକ ଆଦିରେ ସୁପରହିଟ୍‌ ସଙ୍ଗୀତ ସବୁ ଭେଟି ଦେଇଛନ୍ତି ଓଡ଼ିଆ ଦର୍ଶକଙ୍କୁ । କଣ୍ଠର ଯାଦୁରେ ବାନ୍ଧି ରଖିବାର କଳା ତାଙ୍କୁ ଜଣା ସେଥିପାଇଁ ତ ତିନି ଦଶନ୍ଧୀରୁ ଅଧିକ ସମୟ ସେ ଓଡ଼ିଆ ସଙ୍ଗୀତର ତାଳରେ ଝୁମାଇବାରେ ନିପୁଣ ବୋଲି ବାରମ୍ବାର ପ୍ରମାଣ କରି ଆସିଛନ୍ତି ।

ସମ୍ବନ୍ଧିତ ଖବର ସନ୍ଧ୍ୟାରେ ବସିବ ବିଜେଡି ବୈଠକ

ସମ୍ବଲପୁରରୁ ଆସି କଟକରେ ନିଜ ସଙ୍ଗୀତର ଆଭିଜାତ୍ୟକୁ ଭିନ୍ନ ରୂପ ଦେଇ ପାରିଥିଲେ ଅଭିଜିତ । ପ୍ରଥମେ କଲେଜ ନିର୍ବାଚନ ପ୍ରଚାର ଗୀତରୁ ନିଜର ପରିଚୟ ସୃଷ୍ଟଇ କରିଥିଲେ ଅଭିଜିତ । ୧୯୯୧ ମସିହାରେ ପ୍ରଥମେ ସମ୍ବଲପୁରୀ ଗୀତରୁ ଆରମ୍ଭ ହୋଇଥିଲା ତାଙ୍କର ସଂଗୀତ ଯାତ୍ରା । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସମ୍ବଲପୁରୀ ଆଲବମ୍ କ୍ୟାସେଟ ଥିଲା ଧସକି ଗଲା ।ସିନେମା ସହ ଆଲବମ୍ ଗୀତରେ ଶ୍ରୋତାଙ୍କ ମନ ମହୁଥିଲେ ଅଭିଜିତ । ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ କଣ୍ଠଦାନ କରିଛନ୍ତି । ‘ଏ ଗୌରା…ଆଜିକାଲି କଣ ଖାଉଛୁ..’ ‘ଏ ସାଲୁ…’, ରିବନ ଫିତା…ଆଦି ହନେକ ହିଟ୍ ଆଲବମ ରହିଛି । ସେହିଭଳି କାଶିଆ କପିଳା, ରଖିବ ଯଦି ସେ ମାରିବ କିଏ, ମୋ ସୁନା ପୁଅ, ମୁନ୍ନା ଏ ଲଭଷ୍ଟୋରୀ, ତୁ ଥା ମୁଁ ଯାଉଛି ରୁଷି, ବାଳୁଙ୍ଗା ଟୋକା, ମାଟ୍ରିକ୍ ଫେଲ୍‌, ରଙ୍ଗିଲା ଟୋକା, ଲଭ୍ ମାଷ୍ଟର, ଆମେ ତ ଟୋକା ଷଣ୍ଢ ମାର୍କା, ଭଉଁରୀ, ଇସ୍କ ତୁ ହି ତୁ, ସମୟ ବଡ଼ ବଳବାନ, ଲଭ୍ ଷ୍ଟେସନ୍ ଏମିତି ଅନେକ ଫିଲ୍ମରେ ସେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ବାବୁଶାନଙ୍କ ସିଷ୍ଟର ଶ୍ରୀଦେବୀ, ସୁନ୍ଦରଗଡ଼ର ସଲମାନ ଖାଁ, ଶ୍ରୀମାନ ସୁରଦାସ, ଓ ଅନୁଭବଙ୍କ କାବୁଲା ବାରବୁଲାରେ ବି ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

୨୦୦୦ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସିନେମା କାଶିଆ କପିଳାରେ ଦେଖାଇଥିଲେ ନିଜ ଯାଦୁଗରୀ । ପରେ ପରେ ରଖିବ ଯଦି ମାରିବ କିଏ, ତୋ ବିନା ଭଲ ଲାଗେନା, ଶଶୁର ଘର ଜିନ୍ଦାବାଦ ଆଦି ସିନେମା ତାଙ୍କ ଗୀତ ପାଇଁ ସାଜିଥିଲା ବିରାଟ ମାଇଲଖୁଣ୍ଟ । ତୁ ଥା ମୁଁ ଯାଉଛି ରୁଷି ସିନେମା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଆନ୍ତି ଦାଦା । ଏହାପରେ ତାଙ୍କ ଗୀତକୁ ମ୍ୟାଚ କଲା ଭଳି ବ୍ୟାକ ଟୁ ବ୍ୟାକ ସିନେମା ଆସେ ବାଳୁଙ୍ଗା ଟୋକା, ମ୍ୟାଟ୍ରିକ ଫେଲ, ରଙ୍ଗିଲା ଟୋକା, ଲଭ ମାଷ୍ଟର ଓ ଜଗୁ ଅଟୋବାଲା, ଚଉକା ଛକା, ଡାହା ବାଳୁଙ୍ଗା, ଆମେ ତ ଟୋକା ଷଣ୍ଢ ମାର୍କା ଭଳି ସିନେମା ଯାହାର ସିନେମା କାହାଣୀ ଅପେକ୍ଷା ଗୀତ ଅଧିକ ଭାଇରାଲ ହୋଇଥିଲା ।

ସେ ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍, ଓଡ଼ିଆ ଧାରାବାହିକକୁ ମଧ୍ୟ ଗୀତ ଦେଇଛନ୍ତି । କଥାଚିତ୍ର ଓ ଆଲବମ୍ ବ୍ୟତୀତ ଅଭିଜିତ କିଛି ଦୂରଦର୍ଶନରେ କାର୍ଯ୍ୟ କରିଛନ୍ତି । ବିଭିନ୍ନ ଟିଭି ଶୋ’ କାର୍ଯ୍ୟକ୍ରମରେ କେବେ ଉପସ୍ଥାପକ ତ କେବେ ବିଚାରକ ଭାର ନିଭାଇଛନ୍ତି । ସବୁ ବେଳେ ଯୁବ କଣ୍ଠଶିଳ୍ପୀଙ୍କୁ ଆଗକୁ ଯିବାର ବାଟ ଛାଡୁଥିଲେ ଦାଦା । ଅନ୍ତାକ୍ଷରୀ, ମେଲୋଡି ନାଇଟ୍ସ୍ ଉଇଥ୍ ଅଭିଜିତ୍ ମଜୁମଦାର, ଲକଡାଉନ ଅନ୍ତାକ୍ଷରୀ, ବ୍ୟାଣ୍ଡ୍ ବାଜା ବାରାତ୍ ଉଇଥ୍ ଅଭିଜିତ ମଜୁମଦାର ଭଳି କାର୍ଯ୍ୟକ୍ରମର ଉପସ୍ଥାପନାରେ ସବୁବେଳେ ଦର୍ଶକଙ୍କୁ ଟାଣି ରଖିବାରେ ସଫଳ ହୋଇପାରିଥିଲେ ସେ । ଏପର୍ଯ୍ୟନ୍ତ ସେ ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଏବଂ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ପାଇଁ ୭୦୦ରୁ ଅଧିକ ଗୀତ ନିର୍ମାଣ କରିଛନ୍ତି ।

ଅଭିଜିତଙ୍କ ମଜୁମଦାରଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଆମ ସଙ୍ଗୀତ, ସିନେମା ଓ ସଂସ୍କୃତି ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

Tags: