ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
ଭୁବନେଶ୍ୱର : ଓଲିଉଡ୍ ରୁ ଆସିଛି ଏକ ଦୁଃଖଦ ଖବର । ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ଯୋଗୁଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିବା ସୂଚନା ମିଳିଛି । ତାଙ୍କ ବିୟୋଗରେ ପରିବାର ସମେତ ସମଗ୍ର ଓଡ଼ିଆ ସିନେମା ଜଗତ ଏବଂ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁଯାୟୀ, ଶ୍ରୀ ସ୍ୱାଇଁ ଦୀର୍ଘ ଦିନ ଧରି ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗ ପରେ ପିପିଲି ଅଞ୍ଚଳରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଅନେକ ସିନେପ୍ରେମୀ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କ ସ୍ମୃତି ଚ।ରଣ କରିଥିଲେ । ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଶୋକସଭାରେ ସାମିଲ ହୋଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, “ଓଡ଼ିଆ ସିନେମା ଜଗତ ପାଇଁ ରବି ସ୍ୱାଇଁଙ୍କ ଅବଦାନ ଅତୁଳନୀୟ ଏବଂ ସଦା ସ୍ମରଣୀୟ । ତାଙ୍କର ପରଲୋକ ଓଲିଉଡ୍ ପାଇଁ ଏକ ଅପୂରଣୀୟ କ୍ଷତି ।” ରବି ସ୍ୱାଇଁ ଜଣେ ସଫଳ ପ୍ରଯୋଜକ ଭାବେ ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାଣ କରି ଓଡ଼ିଆ ସିନେମାକୁ ସମୃଦ୍ଧ କରିଥିଲେ। ତାଙ୍କ ଆତ୍ମାର ସଦ୍ଗତି ପାଇଁ ବିଭିନ୍ନ ମହଲରୁ ପ୍ରାର୍ଥନା କରାଯାଇଛି ।
୯୦ ଦଶକରେ ଓଡ଼ିଆ ଚଳଚିତ୍ର ଜଗତରେ ରବି ସ୍ୱାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ସେ “ଜୋର ଯାର ମୂଲକ ତାର”, “ଉଦଣ୍ଡି ସୀତା”, “କିହେବ ଶୁଆ ପୋଷିଲେ” ଓ “ପଞ୍ଜୁରୀ ଭିତରେ ଶାରୀ” ଭଳି ଅନେକ ହିଟ୍ ସିନେମାରେ ସେ ନିର୍ମାଣ କରିଛନ୍ତି । ସେହିପରି ସେ ପିପିଲି ତଥା ଆଖପାଖ ଅଞ୍ଚଳରେ ଶିକ୍ଷାର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସେ କ୍ଷେତ୍ରମୋହନ ମେମୋରିଆଲ ଟ୍ରଷ୍ଟର ପ୍ରତିଷ୍ଠାତା । ସେହିପରି ଓମ୍ ଶାନ୍ତି +2 ସାଇନ୍ସ କଲେଜ ଓ କ୍ଷେତ୍ରମୋହନ ITC ଏବଂ ଦୈତାରୀ ITC ର ପ୍ରତିଷ୍ଠାତା ଥିଲେ ରବି ସ୍ୱାଇଁ ।



