ବଢିପାରେ ଲୋକସଭା ଆସନ ସଂଖ୍ୟା
ନୂଆଦିଲ୍ଲୀ : ଦେଶର ସଂସଦୀୟ ବ୍ୟବସ୍ଥାରେ ହେବ ବଡ଼ ଧରଣର ପରିବର୍ତ୍ତନ ଇ ବଢିପାରେ ଲୋକସଭା ଆସନ ସଂଖ୍ୟା । ଏଥିପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଲୋକସଭା ଆସନ ସଂଖ୍ୟାକୁ ବର୍ତ୍ତମାନର ୫୪୩ ରୁ ୮୫୦କୁ ବୃଦ୍ଧି କରିବା ପାଇଁ ଏକ ପ୍ରସ୍ତାବିତ ବିଲ୍ ଆସିବାକୁ ଯାଉଛି । ଆସୁଛି ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ । ଏହି ପଦକ୍ଷେପ ଦ୍ୱାରା ଦେଶର ରାଜନୈତିକ ମାନଚିତ୍ର ବଦଳିବା ସହ ଓଡ଼ିଶା ଭଳି ରାଜ୍ୟର ଆସନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ।
ସୂତ୍ର ଅନୁଯାୟୀ, ପ୍ରସ୍ତାବିତ ୮୫୦ଟି ଆସନ ମଧ୍ୟରୁ ୮୧୫ଟି ଆସନ ବିଭିନ୍ନ ରାଜ୍ୟ ପାଇଁ ଉଦ୍ଦିଷ୍ଟ ଥିବାବେଳେ ୩୫ଟି ଆସନ କେନ୍ଦ୍ରଶାସିତ ଅଞ୍ଳ ପାଇଁ ରଖାଯିବ । ୨୦୧୧ ଜନଗଣନା ଆଧାରରେ ଏହି ନୂତନ ସୀମା ନିର୍ଦ୍ଧାରଣ (Delimitation) କରାଯିବ । ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ପ୍ରକ୍ରିୟାରେ କୌଣସି ରାଜ୍ୟ ନିଜର ବର୍ତ୍ତମାନର ଆସନ ହରାଇବେ ନାହିଁ, ବରଂ ଜନସଂଖ୍ୟା ଅନୁପାତରେ ସମସ୍ତଙ୍କର ଆସନ ବୃଦ୍ଧି ପାଇବ ।
ସରକାର ସାଂସଦମାନଙ୍କ ସହ ଏହି ଡ୍ରାଫ୍ଟ ବିଲ୍ ସେୟାର କରିଛନ୍ତି । ଏହି ନୂତନ ବ୍ୟବସ୍ଥାରେ ଲୋକସଭା ଆସନ ୮୫୦କୁ ବୃଦ୍ଧି ପାଇବ । କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ଆସନ ସଂଖ୍ୟା ୩୫କୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି । ଏହି ସଂପ୍ରସାରଣ ଦ୍ୱାରା ଦୀର୍ଘ ଦିନରୁ ପ୍ରତିକ୍ଷିତ ମହିଳା ସଂରକ୍ଷଣ ବିଲ୍ (୩୩-୩୫ ପ୍ରତିଶତ ସଂରକ୍ଷଣ) କାର୍ଯ୍ୟକାରୀ କରିବା ପାଇଁ ପଥ ପରିଷ୍କାର ହେବ । ଯଦି ଏହି ବିଲ୍ ପାରିତ ହୁଏ, ତେବେ ଜନସଂଖ୍ୟା ଆଧାରରେ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା (ବର୍ତ୍ତମାନ ୨୧) ଯଥେଷ୍ଟ ବୃଦ୍ଧି ପାଇବ। ଏହାଦ୍ୱାରା ଜାତୀୟ ରାଜନୀତିରେ ରାଜ୍ୟର ଗୁରୁତ୍ୱ ଆହୁରି ବଢ଼ିବ ।




