ମୁଖ୍ୟମନ୍ତ୍ରୀଙ୍କ କାରକେଡ ଗାଡି ସଂଖ୍ୟା ହ୍ରାସ

ମୁଖ୍ୟମନ୍ତ୍ରୀଙ୍କ କାରକେଡ ଗାଡି ସଂଖ୍ୟା ହ୍ରାସ
Samaya Live News Picture
Published On

ଭୁବନେଶ୍ୱର : ଇନ୍ଧନ ବଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ରାଜ୍ୟ ସରକାର । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସାରା ଦେଶ ଏକପ୍ରକାର ଅର୍ଥନୈତିକ ସଙ୍କଟ ମଧ୍ୟକୁ ଠେଲି ହୋଇ ଯାଇଛି । ଦେଶବାସୀଙ୍କୁ ବିଭିନ୍ନ ଖର୍ଚ୍ଚକାଟ ପାଇଁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତୈଳ କମାଇବା ପାଇଁ ପ୍ରଧାନମନ୍ତୀଙ୍କ ଆହ୍ୱାନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ କାରକେଡ ରେ ଯାଉଥିବା ଗାଡି ସଂଖ୍ୟାକୁ ହ୍ରାସ କରିଛନ୍ତି  । ଗତ ୧୩ ତାରିଖରେ କାରକେଡ୍ ରେ  ଥିବା ଗାଡ଼ି ସଂଖ୍ୟା ୧୨ଟିରୁ ୭ଟିକୁ ହ୍ରାସ କରିଥିଲେ । ଶୁକ୍ରବାର ଏହାକୁ ଆହୁରି ୩ଟି କମ୍ କରି ସମୁଦାୟ ୪ଟି ଗାଡି ରଖିବାକୁ ନିର୍ଦେଶ ଦେଇଛନ୍ତି । ଏଣିକି ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ରେ ପ୍ରଥମେ ପାଇଲଟ୍ କାର ରହିବ । ଦ୍ୱିତୀୟ କାର୍ ରେ ମୁଖ୍ୟମନ୍ତ୍ରୀ , ତୃତୀୟ କାର୍ ରେମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ (ଏସ୍ପି) ନରେଶ କୁମାର ପଟେଲଙ୍କ ସହ ସାଧା ପୋଷାକଧାରୀ ସୁରକ୍ଷାକର୍ମୀ ଏବଂ ଚତୁର୍ଥ କାର୍ ରେ ଏସ୍କର୍ଟ-୨ (କମାଣ୍ଡୋ) ରହିବେ । ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଇନ୍ଚାର୍ଜ ଦାୟିତ୍ୱରେ ଥିବା ଡିସିପି (ସିକ୍ୟୁରିଟି) ଅଶୋକ ପାଣିଗ୍ରାହୀ ଏସ୍କର୍ଟ-୨ ଗାଡି଼ରେ ଯିବେ  ବୋଲି ନିର୍ଦେଶ ରହିଛି ।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇନ୍ଧନ କମାଇବା ପାଇଁ ୮-ସୂତ୍ରୀ ନିର୍ଦେଶନାମା ଜାରି କରିଛନ୍ତି । ଏନେଇ ବିହିତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ସରକାରୀ ସ୍ତରର ବିଭିନ୍ନ ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଆଦି ଅତି ଆବଶ୍ୟକ ନ ହେଲେ ଭର୍ଚୁଆଲ ମୋଡ୍ରେ କରାଯିବ । ଯେଉଁଠି ପ୍ରତ୍ୟକ୍ଷ ଉପସ୍ଥିତିର ଆବଶ୍ୟକତା ଥିବ, ସେ ସ୍ଥଳରେ ସେମାନେ ପ୍ରତ୍ୟକ୍ଷ ଭାବେ ବୈଠକରେ ଯୋଗ ଦେଇପାରିବେ ଏବଂ ଅନ୍ୟମାନେ ଭର୍ଚୁଆଲ ମୋଡ୍ରେ ଯୋଗ ଦେବେ ।

ସେହିଭଳି, ୧ ଜୁନ୍ ୨୦୨୬ ଠାରୁ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଯେତେ ନୂଆ ଦୁଇ ଚକିଆ ଓ ଚାରି ଚକିଆ ଯାନ କିଣାଯିବ, ସେଗୁଡ଼ିକ ବୈଦ୍ୟୁତିକ ଯାନ (EV) ହୋଇଥିବା ବାଧ୍ୟତାମୂଳକ । ବିଶେଷ ଆବଶ୍ୟକତା ଭିତ୍ତିରେ ପେଟ୍ରୋଲ କିମ୍ୱା ଡିଜେଲ ଯାନ କିଣିବାକୁ ଅନୁମତି ଦିଆଯିବ। ସେହିଭଳି, ଜୁନ୍ ପହିଲାରୁ ସରକାରୀ କାର୍ଯ୍ୟାଳୟରେ ଭଡ଼ା ସୂତ୍ରରେ ନିଆଯାଉଥିବା ସରକାରୀ ଚାରିଚକିଆ ଯାନ EV ହେବା ବାଧ୍ୟତାମୂଳକ କରାଯିବ ।

 

 

 

Tags: