ନୁଆଁ ଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ନୁଆଁ ଖାଇ ପାଇଁ ଲଗ୍ନ ଧାର୍ଯ୍ୟ
Samaya Live News Picture
Published On

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପ୍ରସିଦ୍ଧ ଗଣପର୍ବ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ଅର୍ଥାତ ଭାଦ୍ରବମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ପାଳନ ହେବ ନୂଆଁଖାଇ । ୧୫ ତାରିଖ ମଙ୍ଗଳବାର ସକାଳ ୯ଟା ୩୬ ମିନିଟରୁ ଦିନ ୧୦ଟା ୧୦ ମିନିଟରେ ମଧ୍ୟରେ ମାଆ ପାଟଣେଶ୍ୱରୀ,ମାଆ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିହେବ । ପରେ ବଲାଙ୍ଗିର ଜିଲାର ଲୋକେ ନୂଆ ଖାଇବେ ବୋଲି ରାଜ ପୁରୋହିତ ସନ୍ତୋଷ କୁମାର ଦାସ ସୂଚନା ଦେଇଛନ୍ତି । ଏନେଇ ଶୈଳଶ୍ରୀ ପ୍ୟାଲେସରେ ଜ୍ୟୋତିର୍ବିଦ ଓ ପଣ୍ଡିତ ମହାସଭାର ସଦସ୍ୟଙ୍କୁ ନେଇ ଲଗ୍ନ ସ୍ଥିର କରାଯାଇଛି । ଲଗ୍ନ ଧାର୍ଯ୍ୟ ହେବା ପରଠାରୁ ସମଗ୍ର ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ଉତ୍ସାହ ଆରମ୍ଭ ହୋଇଯାଇଛି ।

ଏହା ନୂଆଁଖାଇ ପରବ ନାମରେ ଜଣାଶୁଣା । ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି । ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଆମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଆମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା “ତିଥି” ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ ।

ଘରେ ଘରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି । ଏହି ସମୟରେ ଗ୍ରାମ ବା ପଡ଼ାର ଲୋକମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି । ପରିବାରମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ । ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି । ଏହା ନୂଆଖାଇ ପର୍ବର ଏକ ବିଶେଷତା ।

 

Tags: