ବିଶିଷ୍ଟ ଘୋଡାନାଚ କଳାକାର ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ପରଲୋକ
ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ଚୌଦ୍ୱାର : ବିଶିଷ୍ଟ ଘୋଡ଼ାନାଚ କଳାକାର ଡ.ଉତ୍ସବ ଚରଣ ଦାସଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚୌଦ୍ବାରର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ ପରିବାର ଲୋକ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । କଳାକ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସେ ୨୦୨୧ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ । ପାରମ୍ପରିକ ଘୋଡ଼ାନାଚ ଉଜ୍ଜୀବିତ ରଖିବାରେ ଥିଲା ତାଙ୍କ ବିଶିଷ୍ଟ ଅବଦାନ।

କଟକ ଟାଙ୍ଗୀ ଚୌଦ୍ୱାର ମଣିଆ ଗାଁରେ ୧୯୪୫ ମସିହା ଏପ୍ରିଲ ୧୪ରେ ଉତ୍ସବ ଦାସ ଜନ୍ମ ଗ୍ରହଣ କରିଥିଲେ । ସେ ଅଷ୍ଟମ ଶ୍ରେଣୀରେ ପଢିବାବେଳୁ ବେଳୁ ଘୋଡ଼ାନାଚ ପ୍ରତି ଆକର୍ଷିତ ହୋଇଥିଲେ। ୧୯୬୪ରେ ଦଶମ ପଢିବା ସମୟରେ ସଂଗୀତ କଳା ସଂସଦ ନାମରେ ଏକ ସାଂସ୍କୃତିକ ସଂଗଠନ ଗିଥିଲେ। ୧୯୬୫ରେ ଆକାଶବାଣୀର ସ୍ବୀକୃତିପ୍ରାପ୍ତ କଳାକାର ହୋଇଥିଲେ । ସାରା ଭାରତରେ ସେ ଘୋଡା ନାଚକୁ ପହଞ୍ଚାଇ ପାରିଥିଲେ। ୧୯୯୭ ମସିହାରେ ସେ ଓ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ଲାଭ କରିଥିଲେ । ଉତ୍ସବ ଦାସ ଜାତୀୟ ସ୍ତରରେ ବହୁ ପୁରସ୍କାର ସହ ୨୦୧୫ରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରୁ ଡକ୍ଟରେଟ ଲାଭ କରିଥିଲେ ।
ପଦ୍ମଶ୍ରୀ ଉତ୍ସବ ଚରଣ ଦାସ ପରଲୋକ ଖବର ଶୁଣି ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ସମବେଦନା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଘୋଡ଼ାନାଚ କଳାକାର ଉତ୍ସବ ଚରଣ ଦାସଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଓଡ଼ିଶାର ପାରମ୍ପରିକ ଲୋକକଳାକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।



